ଆଜି ସେପ୍ଟେମ୍ବର ଗାଇଡଲାଇନ : କଟକ, ଭୁବନେଶ୍ୱର, ପୁରୀରୁ ହଟିପାରେ ସପ୍ତାହାନ୍ତ ସଟଡାଉନ୍

185

କନକ ବ୍ୟୁରୋ : ଆଜି ଆସିବ ସେପ୍ଟେମ୍ବର ଗାଇଡଲାଇନ । ପାର୍ବଣ ରୁତୁରେ ସରକାର କେଉଁ କଟକଣା ହଟାଇବେ, କାହାକୁ ରଖିବେ ଏହା ଉପରେ ସମସ୍ତଙ୍କ ନଜର ରହିଛି । ଦୀର୍ଘଦିନ ଧରି କରୋନା କଟକଣା ଯୋଗୁଁ ଜୀବିକା ବିଶେଷ ଭାବେ ପ୍ରଭାବିତ ହୋଇଯାଇଛି । ତେଣୁ ସପ୍ତାହନ୍ତ ଲକଡାଉନ, ନାଇଟ୍ କର୍ପ୍ୟୁ ଭଳି କଟକଣା ହଟାଇବାକୁ ଦାବି ହେଉଛି । ଏପଟେ ପାର୍ବଣ ଋତୁ ଆସୁଥିବାରୁ ରାଜ୍ୟଗୁଡିକୁ ସତର୍କ କରିଦେଇଛନ୍ତି କେନ୍ଦ୍ର ସରକାର ।

ଭିଡ଼ ନିୟନ୍ତ୍ରଣରେ ନରହିଲେ ଏହା ତୃତୀୟ ଲହରକୁ ସାଙ୍ଗରେ ଆଣିପାରେ ବୋଲି ଚେତାଇ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଓନମ ପରେ କେରଳରେ ହଠାତ୍ ଦୈନିକ ସଂକ୍ରମଣରୁ ଅଧିକ ହୋଇଯାଇଛି, ତେଣୁ ସତର୍କ ରହିବାକୁ କହିଛି କେନ୍ଦ୍ର । କେନ୍ଦ୍ରର ଗାଇଡଲାଇନ୍ ପରେ ଓଡ଼ିଶାରେ କେଉଁ କଟକଣା ରହିବ, କାହାକୁ ହଟାଇବେ ସରକାର । ଏହା ହିଁ ସବୁଠୁ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛି । ତେବେ ଜୀବନ-ଜୀବିକାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ଗାଡଡଲାଇନରେ କିଛି ପରିବର୍ତନ ଆଣିପାରନ୍ତି ରାଜ୍ୟ ସରକାର ।

ସମ୍ଭାବ୍ୟ ସେପ୍ଟେମ୍ବର ଗାଇଡଲାଇନ୍

ସମ୍ଭାବନା- କଟକ, ଭୁବନେଶ୍ୱର, ପୁରୀରୁ ହଟିପାରେ ସପ୍ତାହାନ୍ତ ସଟଡାଉନ୍
ଯୁକ୍ତି ୧- ସାରାରାଜ୍ୟରେ ଏବେ ଟେଷ୍ଟ ପଜିଟିଭ ହାର ୧ ପ୍ରତିଶତ ପାଖାପାଖି
ଯୁକ୍ତି ୨- ସପ୍ତାହର ଶେଷ ୨ ଦିନ ସଟଡାଉନ ଯୋଗୁଁ କ୍ଷତି ସହୁଛନ୍ତି ବ୍ୟବସାୟୀ

ସମ୍ଭାବନା- ସାରାରାଜ୍ୟରେ କୋହଳ ହୋଇପାରେ ନାଇଟ କର୍ଫ୍ୟୁ
ଯୁକ୍ତି ୧- ରାତି ୮ଟା ସୁଦ୍ଧା ଦୋକାନ ବନ୍ଦ କରିବାରୁ କ୍ଷତି ହେଉଛି
ଯୁକ୍ତି ୨- ନାଇଟ କର୍ଫ୍ୟୁ ଯୋଗୁଁ ଯାତ୍ରା ପରିବେଷଣ ହୋଇପାରୁ ନାହିଁ

ସମ୍ଭାବନା- ବିବାହ, ବ୍ରତ ଓ ଶୁଦ୍ଧି କାମରେ କୋହଳ ହୋଇପାରେ କଟକଣା
ଯୁକ୍ତି ୧- ସୀମିତ ସଂଖ୍ୟାରେ ଏସବୁ କାମ କରିବା ସମ୍ଭବ ହେଉନାହିଁ
ଯୁକ୍ତି ୨- ଟେଂଟହାଉସ, ଡିଜେ ଓ କ୍ୟାଟରିଂ ବ୍ୟବସାୟୀ କ୍ଷତି ସହୁଛନ୍ତି

ସମ୍ଭାବନା- ସଭା, ସମିତି, ସାଂସ୍କୃତିକ ଓ ଧାର୍ମିକ ସମାବେଶରେ କୋହଳ ହୋଇନପାରେ କଟକଣା
ଯୁକ୍ତି ୧- ପାର୍ବଣ ଋତୁରେ କଟକଣା କୋହଳ କଲେ ସଂକ୍ରମଣ ବ୍ୟାପିବା ଆଶଙ୍କା
ଯୁକ୍ତି ୨- ମେଳା, ମହୋତ୍ସବ ପାଇଁ ଅନୁମତି ଦେଲେ ଲୋକ ଗହଳି ତୃତୀୟ ଲହରକୁ ଆମନ୍ତ୍ରଣ କରିପାରେ