ଟିକାକରଣ ପୂର୍ବରୁ ଓଡିଶାବାସୀଙ୍କୁ ଆଶ୍ୱସ୍ତ କଲେ ଓଡିଶା ସରକାର । କହିଲେ, ସମ୍ପୂର୍ଣ୍ଣ ନିରାପଦ କୋଭିଡ ଟିକା । ପ୍ରଥମେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ କରାଯିବ ଟିକାକରଣ ।

201

କନକ ବ୍ୟୁରୋ : ଆସନ୍ତା ୧୬ ତାରିଖରେ ସାରା ଦେଶରେ ଟିକାକରଣ ଆରମ୍ଭ ହେଉଥିବା ବେଳେ କରୋନା ଟିକାକୁ ନେଇ ଆଶ୍ୱସ୍ତ କରିଛନ୍ତି ରାଜ୍ୟ ସରକାର । କୌଣସି ଉଡ଼ା ଖବରକୁ ବିଶ୍ୱାସ ନକରି, ମନରେ କୌଣସି ପ୍ରକାର ଦ୍ୱନ୍ଦ୍ୱ ନରଖି ଟିକା ନେବା ଉଚିତ୍ ବୋଲି କହିଛନ୍ତି ସରକାର । ଟିକାକୁ ନେଇ ସାଧାରଣ ଲୋକଙ୍କ ମନରେ ଉଠୁଥିବା ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ରାଜ୍ୟ କୋଭିଡ୍ ବୈଷୟିକ କମିଟିର ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା ।

କେମିତି ନେବେ ଟିକା ?
ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ଆଗଧାଡ଼ିର କରୋନା ଯୋଦ୍ଧା, ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ
ରାଜ୍ୟରେ ୩ ଲକ୍ଷରୁ ଅଧିକ ଓ ଦେଶରେ ପ୍ରାୟ ୩ କୋଟି ଲୋକ ପଞ୍ଜିକୃତ କରିଛନ୍ତି
ପ୍ରଥମ ପର୍ଯ୍ୟାୟ ଟିକାକରଣ ପ୍ରାୟ ୨ ମାସ ମଧ୍ୟରେ ଶେଷ ହେବ
କେବଳ ପଞ୍ଜିକୃତ ବ୍ୟକ୍ତିଙ୍କୁ ଟିକା ଦିଆଯିବ
୧୮ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଟିକା ଦିଆଯିବା ପାଇଁ ନିଷ୍ପତି ହୋଇଛି
ପଞ୍ଜିକରଣ ପାଇଁ ମୋବାଇଲ୍ ନମ୍ବର ଓ ପରିଚୟ ପତ୍ର ଦେବାକୁ ପଡ଼ିବ
କେଉଁଠି ଓ କେତେବେଳେ ଟିକା ନେବେ, ମୋବାଇଲକୁ ମେସେଜ୍ ଆସିବ
ଟିକାଦାନ କେନ୍ଦ୍ରରେ ପରିଚୟ ପତ୍ର ଦେଖାଇବାକୁ ହେବ
ପ୍ରଥମ ଡୋଜ୍ର ୨୮ ଦିନ ପରେ ଦ୍ୱତୀୟ ଡୋଜ୍ ଦିଆଯିବ
ଦ୍ୱିତୀୟ ଡୋଜର ୨ ସପ୍ତାହ ପରେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହେବ
ଦୁଇଟି ଡୋଜ୍ ନେବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଆଯିବ

ଜନସାଧାରଣଙ୍କୁ ସରକାର ଆଶ୍ୱସ୍ତ କରିଛନ୍ତି ଯେ ଭାରତରେ ତିଆରି କୋଭିସିଲ୍ଡ ଓ କୋଭାକ୍ସିନ୍, ବିଶ୍ୱର ଅନ୍ୟ ଟିକା ଭଳି ପ୍ରଭାବଶାଳୀ । କରୋନା ଟିକାର ପାଶ୍ୱର୍ ପ୍ରତିକ୍ରିୟା ପ୍ରାୟତଃ ନାହିଁ । ତିନି ପର୍ଯ୍ୟାୟ ଧରି ପରୀକ୍ଷା ନିରୀକ୍ଷା ପରେ ଟିକାକରଣ ପାଇଁ ଅନୁମତି ଦିଆଯାଇଛି । ଏବଂ ସଂପୂର୍ଣ୍ଣ ବିଜ୍ଞାନ ସିଦ୍ଧ ଉପାୟରେ ଟିକା ପ୍ରସ୍ତୁତ କରାଯାଇଛି । ତେବେ ଟିକା ନେବା ପରେ ସାମାନ୍ୟ ଜ୍ୱର ହୋଇପାରେ, ଟିକା ନେଇଥିବା ସ୍ଥାନ ଫୁଲିପାରେ କିମ୍ବା ବଥା ହୋଇପାରେ । ଟିକାକରଣ କେନ୍ଦ୍ରରେ ଜଣେ ଟିକା ନେବା ପରେ ତାଙ୍କୁ ୩୦ ମିନିଟ୍ ଅବଜରଭେସନ୍ ରୁମରେ ରଖାଯିବ । ଟିକାଦାନ କେନ୍ଦ୍ରରେ କିମ୍ବା କେନ୍ଦ୍ର ବାହାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଲେ ଡାକ୍ତରଙ୍କ ପରମର୍ଶ ଅନୁଯାୟୀ ଏହାର ପ୍ରତିକାର କରାଯାଇପାରିବ ।

କରୋନା ଟିକା ସଂପୂର୍ଣ୍ଣ ନିରାପଦ ।
ପ୍ରାୟ କୌଣସି ବଡ଼ଧରଣର ପାଶ୍ୱର୍ ପ୍ରତିକ୍ରିୟା ନାହିଁ
ଟିକା ନେବା ପରେ ଜଣଙ୍କୁ ୩୦ ମିନିଟ୍ ପର୍ଯ୍ୟନ୍ତ ଅବଜରଭେସନ୍ ରୁମରେ ରଖାଯିବ
ସାମାନ୍ୟ ଜ୍ୱର ହୋଇପାରେ
ଟିକା ନେବା ସ୍ଥାନ ଫୁଲିପାରେ, ବ୍ୟଥା ହୋଇପାରେ
ଟିକାଦାନ କେନ୍ଦ୍ରରେ ବା ପରେ କିଛି ଲକ୍ଷଣ ଦେଖାଦେଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବେ

ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି, ବିଟ୍ରେନ ଷ୍ଟ୍ରେନ୍ ହେଉ କିମ୍ବା କରୋନାର ଅନ୍ୟ ପରିବର୍ତିତ ଷ୍ଟ୍ରେନ୍ ପାଇଁ କାମ କରିବ କରୋନା ଟିକା । ରାଜ୍ୟ କୋଭିଡ୍ ବୈଷୟିକ କମିଟି ମୁଖପାତ୍ର କହିଛନ୍ତି, ଟିକା ପ୍ରସ୍ତୁତ କରିବାରେ ଏବଂ ଟିକାକରଣରେ ଆମ ଦେଶ, ସାରା ବିଶ୍ୱରେ ଆଗୁଆ । ଟିକା ନେବା ଦ୍ୱାରା କାହାର କ୍ଷତି ହେବ ନାହିଁ, ଟିକା ନେଲେ ନିଜକୁ ଓ ଅନ୍ୟମାନଙ୍କୁ ଏହି ମହାମାରୀରୁ ରକ୍ଷା କରିହେବ ।