ବଦଳିବ ଲିଙ୍ଗରାଜ ମନ୍ଦିରର ନକ୍ସା: ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଜୀବିକା ହରାଉଥିବା ଦୋକାନୀଙ୍କୁ କରାଯିବ ଥଇଥାନ

316

କନକ ବ୍ୟୁରୋ: ପୁରୀ ପରେ ଲିଙ୍ଗରାଜ ମନ୍ଦିର ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର । ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆରମ୍ଭ ହେବ ୬୬ ଏକର ପରିବ୍ୟାପ୍ତ ଏକାମ୍ର କ୍ଷେତ୍ର ବିକାଶ ଯୋଜନା । ଏଥିରେ ୯ଟି ପ୍ରକଳ୍ପ ପାଇଁ ଘୋଷଣା କରାଯାଇଛି । ଏହା ଅଧିନରେ ସୁଦୃଶ୍ୟ ପ୍ରବେଶ ପଥ, ବିନ୍ଦୁସାଗରର ପୁନରୁଦ୍ଧାର ଯୋଜନାରେ ପୁଷ୍କରଣୀ ଗୁଡିକର ପନରୁଦ୍ଧାର କାମ ହେବ ।

ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ, କେଦାର-ଗୌରୀ ଓ ମୁକ୍ତେଶ୍ୱର ପରିସରର ବିକାଶ କରାଯିବ । ଇ-ଅଟୋ କାର୍ଯ୍ୟକ୍ରମ ଏବଂ ଥଇଥାନ ଆଦି ୯ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।

ତେବେ ଲିଙ୍ଗରାଜ ଥାନା ଓ ଲିଙ୍ଗରାଜ ଟ୍ରଷ୍ଟ ଅଫିସ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଯାତାୟତର ସୁବିଧା ପାଇଁ ତାଳେଶ୍ୱର ଛକଠାରୁ ବଢ଼େଇ ବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବ । ୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ରହିବ । ଲିଙ୍ଗରାଜ ସମ୍ମୁଖ ଭାଗରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ କରାଯିବ । ଭକ୍ତ ଓ ପର୍ଯ୍ୟଟକମାନଙ୍କ ପାଇଁ ଭିତିଭୂମିର ବିକାଶ କରାଯିବ ।

ତେବେ ସବୁଠାରୁ ବଡ କଥା ହେଉଛି ମନ୍ଦିର ସାମ୍ନାରେ ଗାଡିଚଳାଚଳ ସମ୍ପୂର୍ଣ୍ଣ ନିଷିଦ୍ଧ ହେବ । ସେପଟେ ଉଚ୍ଛେଦ ପାଇଁ ଜୀବିକା ହରାଉଥିବା ଉଠାଦୋକାନୀମାନଙ୍କୁ ଦୁଇଟି କିସ୍ତିରେ ୩୦ ହଜାର ଟଙ୍କା ସହାୟତା ଦିଆଯିବ । ଏବଂ ଭେଣ୍ଡିଂଜୋନ କରାଯାଇ ସେମାନଙ୍କୁ ଥଇଥାନ କରାଯିବ । ପକ୍କା ଘର ଥିବା ଦୋକାନ ଘର ଉଛେଦ ହୋଇଥିବା ବ୍ୟବସାୟୀଙ୍କୁ ୧୨ ମାସ ପର୍ଯ୍ୟନ୍ତ ମାସିକ ୧୦ ହଜାର ଟଙ୍କା ଲେଖାଏଁ ଦିଆଯିବ । ପରବର୍ତ୍ତୀ ସମୟରେ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଯାଇ ସେମାନଙ୍କୁ ଥଇଥାନ କରାଯିବବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।