ହାଇଟେକ୍ ମେଡିକାଲକୁ ସ୍ୱାସ୍ଥ୍ୟ ବିଭାଗର ଛାଟ ! ଛାତ୍ରଛାତ୍ରୀଙ୍କୁ ନାମ ଲେଖାରୁ ବାରଣ କଲେ ଏନଓସି ପ୍ରତ୍ୟାହାର

200

କନକ ବ୍ୟୁରୋ: ହାଇଟେକ୍ ମେଡିକାଲ କଲେଜକୁ ରାଜ୍ୟ ସରକାରଙ୍କ ଚେତାବନୀ । ହାଇଟେକ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ମନମାନି ଉପରେ ରୋକ ଲଗାଇବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପଦକ୍ଷେପ ନେଇଛି । ବିଭାଗ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଚେତାବନୀ ଦେଇଛି ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ନାମ ଲେଖାରୁ ବାରଣ କଲେ ଏନଓସି ପ୍ରତ୍ୟାହାର କରାଯିବ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହାଇଟେକ କଲେଜ କର୍ତୃପକ୍ଷଙ୍କ ପାଇଁ ୩ଟି ସର୍ତ ରଖାଯାଇଛି ।

• ପ୍ରଥମ ସର୍ତ୍ତ ଓ-ଜେଇଇ ଗାଇଡଲାଇନ ଅନୁଯାୟୀ, କଲେଜରେ ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କ ନାମଲେଖା ସହ ରିପୋର୍ଟିଂ ହେବ ।

• ଦ୍ୱିତୀୟ ସର୍ତ୍ତ ନାମ ଲେଖା / ରିପୋର୍ଟିଂ ସମୟରେ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଠାରୁ ବର୍ଦ୍ଧିତ ଫି ଆଦାୟ ନେଇ କୌଣସି ଅଣ୍ଡରଟେକିଂ ନେଇପାରିବେ ନାହିଁ ।

• ତୃତୀୟ ସର୍ତ୍ତ ହେଉଛି, କଲେଜ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ତରଫରୁ ଧାର୍ଯ୍ୟ ହୋଇଥିବା ଫି ଷ୍ଟ୍ରକଚରକୁ ମାନିବେ ।

ଏସବୁ ସର୍ତ୍ତ ଖିଲାପ କଲେ ସରକାରୀ ନିର୍ଦ୍ଦେଶ ଅବମାନନା ବୋଲି ଧରାଯିବ । ପରେ କଲେଜର ଏନଓସି ପ୍ରତ୍ୟାହର କରାଯିବ ବୋଲି ଚିଠିରେ ଚେତାବନୀ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଓଜେଇଇରେ ଯୋଗ୍ୟ ବିବେଚତ ଛାତ୍ରଛାତ୍ରୀ ହାଇଟେକ ମେଡିକାଲକୁ ନାମ ଲେଖାଇବାକୁ ଯାଇଥିଲେ । ହେଲେ କଲେଜ କର୍ତ୍ତୃପ କ୍ଷ ଧାର୍ଯ୍ୟ ଫି ଠାରୁ ଅଧିକ ଦାବି କରିବାରୁ ସ୍ୱାସ୍ଥ୍ୟ ବିଭାଗ ପାଖରେ ଫେରାଦ ହୋଇଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଏହି ଅଭିଯୋଗ ଆଧାରରେ ହାଇଟେକ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖି ତାଗିଦ୍ କରିଛି ।