ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ରର ଦ୍ୱନ୍ଦ୍ୱ ବଢ଼ାଇଲା ଭିଡ଼ । ପରିବହନ ଅଧିକାରୀ କହିଲେ, ଆସନ୍ତା ୧ରୁ କେବଳ ଅନଲାଇନରେ ସଂଯୁକ୍ତ ଥିବା ପଲ୍ୟୁସନ ସାର୍ଟିଫିକେଟ ହିଁ ହେବ ବୈଧ

764

କନକ ବ୍ୟୁରୋ : ଅକ୍ଟୋବର ୧ରୁ ଅନଲାଇନ୍ ସଂଯୁକ୍ତ ପଲ୍ୟୁସନ ପ୍ରମାଣପତ୍ର ନେଇ ପରିବହନ ବିଭାଗର ଟ୍ୱିଟ୍ ପରେ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଅନଲାଇନ୍, ଅଫଲାଇନ୍ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ବେଳେ ଆଜି ପଲ୍ୟୁସନ ସାର୍ଟିଫିକେଟ୍ ପାଇଁ ସାଂଘାତିକ ଭିଡ଼ ଦେଖିବାକୁ ମିଳିଛି । ଯେଉଁମାନେ ପୂର୍ବରୁ ପ୍ରମାଣପତ୍ର ସଂଗ୍ରହ କରିଥିଲେ, ସେମାନେ ମଧ୍ୟ ଧାଡ଼ି ଲଗାଇଛନ୍ତି ନୂଆ ପ୍ରମାଣପତ୍ର ପାଇଁ । ତେବେ ପରିବହନ ବିଭାଗ ସ୍ପଷ୍ଟ କରିଛି, ସେପ୍ଟେମ୍ବର ୩୦ ସୁଦ୍ଧା କରାଯାଇଥିବା ପଲ୍ୟୁସନ୍ ପ୍ରମାଣ ପତ୍ର ଗ୍ରହଣ କରାଯିବ । ଅକ୍ଟୋବର ପହିଲା ପରେ ଅନଲାଇନ ସଂଯୋଗ ପ୍ରମାଣପତ୍ର ବାଧ୍ୟତାମୂଳକ । ସେହିପରି ରାଜ୍ୟ ସରକାର ୩ ମାସ କୋହଳ କରିଥିବାରୁ ଡିସେମ୍ବର ୧ ତାରିଖରୁ କାଗଜପତ୍ର ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ସ୍ପଷ୍ଟ କରିଛି ପରିବହନ ବିଭାଗ ।

ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଟ୍ୱିଟ୍ ଏପରି ଦ୍ୱନ୍ଦ୍ୱ ତିଆରି କରିଥିଲା ଯେ ସକାଳୁ ସକାଳୁ ପ୍ରଦୂଷଣ ମୁକ୍ତ ପ୍ରମାଣ ପତ୍ର ପାଇବା ପାଇଁ ଆରଟିଓ କାର୍ଯ୍ୟାଳୟ ଓ ବିଭିନ୍ନ କେନ୍ଦ୍ରରେ ଦେଖିବାକୁ ମିଳିଥିଲା ଲମ୍ବା ଲାଇନ୍ । ଯେଉଁମାନେ ପୂର୍ବରୁ ପଲ୍ୟୁସନ୍ ସାର୍ଟିଫିକେଟ୍ କରିଥିଲେ, ସେମାନେ ମଧ୍ୟ ପୁଣି ଥରେ ଅନଲାଇନ୍ ସଂଯୁକ୍ତ ସାର୍ଟିଫିକେଟ୍ ପାଇଁ ଲାଇନ୍ ଲଗାଇଥିଲେ ।

 ଅକ୍ଟୋବର ୧ତାରିଖରୁ ଅନଲାଇନ ପ୍ରମାଣପତ୍ର ବାଧ୍ୟତାମୂଳକ ହେବ । ତେବେ ଏ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ନଜର ପକାନ୍ତୁ ପରିବହନ ବିଭାଗର ସ୍ପଷ୍ଟୀକରଣ ଉପରେ :
– ଅକ୍ଟୋବର ୧ରୁ ଅନଲାଇନ୍ ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ
– ବାହାନ ୱେବସାଇଟ୍ ସହ ସଂଯୋଗ ହେବ ପ୍ରମାଣପତ୍ର
– ଅନଲାଇନରେ ଯୋଡି ହୋଇନଥିବା କେନ୍ଦ୍ରର ପ୍ରମାଣପତ୍ର ଅବୈଧ
– ସେପ୍ଟେମ୍ବର ୩୦ ମଧ୍ୟରେ ହୋଇଥିବା ମାନୁଆଲ ପ୍ରମାଣପତ୍ରରେ ସମସ୍ୟା ନାହିଁ
– ଡିସେମ୍ବର ୧ ତାରିଖରୁ କାଗଜପତ୍ର ଯାଞ୍ଚ କଡ଼ାକଡ଼ି

ତେବେ କାଗଜପତ୍ର ଯାଂଚ ନେଇ ସରକାର ତିନି ମାସ କୋହଳ କରିଥିବା ବେଳେ ପଲ୍ୟୁସନ୍ ସାର୍ଟିଫିକେଟ୍ ଯାଂଚ ହେବ କି ନାହିଁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ପରିବହନ ବିଭାଗ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟ ସରକାର ୩ ମାସ କୋହଳ କରିଥିବାରୁ ଡିସେମ୍ବର ୧ ତାରିଖରୁ କାଗଜପତ୍ର ଯାଂଚ କଡ଼ାକଡ଼ି କରାଯିବ । ସେପଟେ ଆରଟିଓ ଅଫିସରେ ଭିଡକୁ ଦୃଷ୍ଟିରେ ରଖି ବ୍ଲକ ସ୍ତରରେ ଡ୍ରାଇଭିଂ ଲାଇସେନ୍ସ ପାଇଁ କ୍ୟାମ୍ପ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।