ଦେଶରେ ଦିନକୁ ଲକ୍ଷେ ସଂକ୍ରମଣ । ରାଜ୍ୟରେ ବି କାୟା ମେଲାଉଛି କରୋନା । ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ।

119

କନକ ବ୍ୟୁରୋ : ଚିନ୍ତା ବଢାଉଛି ସଂକ୍ରମଣ ।  ଆଉ ଏହି ଚେନକୁ ଭାଙ୍ଗିବା ଲାଗି  ଏବେ ବଡ ଚ୍ୟାଲେଞ୍ଜ ହୋଇଛି । ଆଜିଠାରୁ ରାଜ୍ୟର ସୀମାବର୍ତୀ ୧୦ଟି ଜିଲ୍ଲାରେ ନାଇଟକର୍ଫ୍ୟୁ ଲାଗୁ ହୋଇଛି । ସଂକ୍ରମଣ ବୃଦ୍ଧିକୁ ରୋକିବାର ବାଟ ଏକମାତ୍ର ଟିକାକରଣ ହୋଇଥିବାରୁ ଅଧିକ କୋଭିସିଲ୍ଡ ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛି ରାଜ୍ୟ । ଆଉ ଏହାରି ଭିତରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଆବଶ୍ୟକ ପଡିଲେ ରାତି ଭଳି ଦିନରେ ବି ଲାଗୁ ହୋଇପାରେ କର୍ଫ୍ୟୁ  । ସେପଟେ ରାଜ୍ୟରେ ଆଜି ଚିହ୍ନଟ ହୋଇଛନ୍ତି ରେକର୍ଡ ୫୭୩ ନୂଆ କରୋନା ଆକ୍ରାନ୍ତ ।

ସଂକ୍ରମଣ ବଢୁଛି, ଚିନ୍ତା ଘାରୁଛି । କଡା ଚେକିଂ ଭିତରେ କରୋନା ଚେନକୁ ଭାଙ୍ଗିବା ଏବେ ସବୁଠାରୁ ବଡ ଚ୍ୟାଲେଞ୍ଜ ହୋଇଛି । ଏସବୁ ଭିତରେ କରୋନା ଚେନକୁ ଭାଙ୍ଗିବା ପାଇଁ ଆଜି ଠାରୁ ରାଜ୍ୟର ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ । ସୁନ୍ଦରଗଡ, ଝାରସୁଗୁଡା, ସଂବଲପୁର, ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରିରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ କଟକଣା ।

ରାଜ୍ୟରେ ପୁଣି ସଂକ୍ରମଣ ଉପରମୁହାଁ । ୫୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଂଟା ଭିତରେ ୫୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ, ନୂଆପଡା, ଖୋର୍ଦ୍ଧା, ଝାରଶୁଗୁଡା, ବରଗଡ, ବଲାଙ୍ଗିର ଓ ଅନୁଗୁଳରେ ଏହି ସଂଖ୍ୟା ଦ୍ରୁତବେଗରେ ବଢୁଛି । ସବୁଠୁ ଅଧିକ ୯୬ଟି ନୂଆ ମାମଲା ଆସିଛି ଖୋର୍ଦ୍ଧା ଜିଲ୍ଲାରେ ।

କରୋନା ଟିକାର ଅଭାବ । କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ । ସଂକ୍ରମଣ ବୃଦ୍ଧିର ଏକ ମାତ୍ର ଜବାବ ହେଉଛି ଟିକା । କିନ୍ତୁ ରାଜ୍ୟରେ କରୋନା ଟିକାର ଅଭାବ ଦେଖାଦେବାର ଆଶଙ୍କା ରହିଛି । ତେଣୁ ଅଧିକ କୋଭିସିଲ୍ଡ ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛି ରାଜ୍ୟ ।

ଓଡିଶାରେ ଲାଗୁ ହେବ କି ଦିନ କର୍ଫ୍ୟୁ? ଋବିବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ, ମୁଖ୍ୟମନ୍ତ୍ରୀ ତର୍ଜମା କରୁଛନ୍ତି, ଏବଂ ଦିନ କର୍ଫ୍ୟୁ ଲାଗୁହୋଇପାରେ । ଏହା ପରେ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରି କହିଲା, ଓଡିଶାରେ ସେଭଳି ଆବଶ୍ୟକତା ନାହିଁ । ଆଜି ପୁଣି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଆବଶ୍ୟକ ପଡିଲେ ରାତି ଭଳି ଦିନରେ ବି ଲାଗୁ ହୋଇପାରେ କର୍ଫ୍ୟୁ  । ସମଗ୍ର ଦେଶ କଥା ଯଦି ଦେଖିବା ସଂକ୍ରମଣ ରେକର୍ଡ ଭାଙ୍ଗିଛି । ଗତ ୨୪ ଘଂଟା ମଧ୍ୟରେ ୧ଲକ୍ଷରୁ ଅଧିକ ସକ୍ରିୟ ସଂକ୍ରମିତ ସାମନାକୁ ଆସିଛନ୍ତି । ଗତ ୨୪ ଘଂଟାରେ ସାରାଦେଶରେ ୧ ଲକ୍ଷ ୩ ହଜାର ୫୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୭୮ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।

ଏହାରି ଭିତରେ କରୋନା ସଂକ୍ରମଣକୁ ଦେଖି ଅଧିକ ସତର୍କ ହୋଇପଡିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ବିବାହ ଉତ୍ସବରେ କେବଳ ୧୦୦ ଜଣ ଯୋଗ ଦେଇପାରିବେ ବୋଲି କୁହାଯାଇଛି । ବାହାଘର ଭୋଜିରେ କେବଳ ଖାଦ୍ୟ ପୁଡିଆ ବଂଟା ଯିବ ବୋଲି କୁହାଯାଇଛି ।