କନକ ବ୍ୟୁରୋ : ଆଜି ହାଇଦ୍ରାବାଦରେ ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାଇଦ୍ରାବାଦ ବଞ୍ଜାରା ହିଲସର ହୋଟେଲ ତାଜ କ୍ରିଷ୍ଣାରେ ଏହି ନିବେଶକ ସମ୍ମିଳନୀ ଅଛି । ମୁଖ୍ୟମନ୍ତ୍ରୀ ରୋଡ ସୋ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଆଜି ସେ ୩୬ଟି କମ୍ପାନୀ ସହ ପ୍ରତ୍ୟକ୍ଷ ଆଲୋଚନା କରିବେ। ମାଇକ୍ରୋସଫ୍ଟ, ପିଡବ୍ଲୁସି, ଡେଲୋଏଟ୍‌, ଭାରତ ବାୟୋଟେକ୍, ଓରାକଲ୍‌, କିମ୍‌ସ, ଏସ୍‌ଏମ୍ଏସ୍‌ ଫାର୍ମା, ତୋଷାଳି ସିମେଣ୍ଟ୍‌ସ, ମାଇ ହୋମ୍, ମେଘା ଇଞ୍ଜିନିୟରିଂ, ରାମ୍‌କି, କଣ୍ଟ୍ରୋଲ୍‌ ଏସ୍‌, ଆପୋଲୋ ହସ୍ପିଟାଲ୍‌ସ ଆଦି ସଂସ୍ଥାର ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ହାଇଦ୍ରାବାଦ କାର୍ଯ୍ୟକ୍ରମ ଶେଷ ହେବା ପରେ ସେଠାରୁ ସେ ମୁମ୍ବାଇ ଯିବାର କାର୍ଯ୍ୟକ୍ରମ ରହିଛି ।

Advertisment

ତେବେ ନଭେମ୍ବର ୩୦ରୁ ଡିସେମ୍ବର ୪ ମଧ୍ୟରେ ଓଡ଼ିଶାରେ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଯୋଗଦେବାପାଇଁ ଉକ୍ତ କମ୍ପାନୀଗୁଡିକୁ ଓଡ଼ିଶାକୁ ଆମନ୍ତ୍ରଣ କରାଯିବ । ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ଓଡ଼ିଶାର ଅଫିସରମାନେ ୧୩ ଟି ମୁଖ୍ୟ ସଂସ୍ଥା ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି । ପୂର୍ବରୁ ଦୁବାଇ, ମୁମ୍ବାଇ, ଅହମ୍ମଦାବାଦ ଓ ବେଙ୍ଗାଲୁର ଭଳି ସହରରେ ଓଡ଼ିଶାର ନିବେଶକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏବେ ସୁଦ୍ଧା ୩୦୦ରୁ ଅଧିକ ଶିଳ୍ପପତି, ନିବେଶ ଓ ବ୍ୟବସାୟୀ ମେକ ଇନ୍ ଓଡ଼ିଶା ୨୦୨୨ରେ ଅଂଶଗ୍ରହଣ କରିବା ଲାଗି ପଞ୍ଜିକରଣ କରିସାରିଛନ୍ତି । ହେଲେ କେତେ କମ୍ପାନୀ ଓଡ଼ିଶା ନିବେଶ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।