କନକ ବ୍ୟୁରୋ : ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ନିଜେ ଖର୍ଚ୍ଚ କରିବେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । ନିଜ ଖର୍ଚ୍ଚରେ ଫେରାଇ ଆଣିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ଫସିଥିବା ଛାତ୍ରଛାତ୍ରୀ ଓ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଅମିତ ଶାହଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ କେନ୍ଦ୍ର ସହ ସମନ୍ୱୟ ରକ୍ଷା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଦାୟିତ୍ୱ ଦିଆଯାଇଛି ।

Advertisment

ଛାତ୍ରଛାତ୍ରୀ ଓ ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଟେଲିଫୋନ୍ ମାଧ୍ୟମରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କଥାବାର୍ତ୍ତା ନବୀନ କହିଛନ୍ତି, ଯୁଦ୍ଧ ଚାଲିଥିବା ୟୁକ୍ରେନରୁ ଶୀଘ୍ର ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉ । ୟୁକ୍ରେନରେ ବହୁ ସଂଖ୍ୟାରେ ଓଡିଆ ଛାତ୍ରଛାତ୍ରୀ ମେଡିକାଲ ପାଠ ପଢୁଛନ୍ତି । ସେମାନେ ବର୍ତମାନ ଭୟଭୀତ ଅବସ୍ଥାରେ ଅଛନ୍ତି ଏବଂ କେତେବେଳେ କ'ଣ ହେବ ସେନେଇ ଆଶା ଆଶଙ୍କାରେ ରହିଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇ କହିଛନ୍ତି, ଭାରତ ସରକାର ୟୁକ୍ରେନ ସରକାରଙ୍କ ସହ ଯୋଗଯୋଗରେ ଅଛନ୍ତି ଏବଂ ସେଠାରେ ଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ କଥାବାର୍ତା ଚାଲିଛି । ଏଥିସହ ସେଠାରେ କାମ କରୁଥିବା ଶ୍ରମିକଙ୍କୁ ମଧ୍ୟ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି ।