କନକ ବ୍ୟୁରୋ : ଯଦି ଆପଣ ରାଜଧାନୀର କୌଣସି ଘରୋଇ ଅନୁଷ୍ଠାନରେ କରୋନା ପରୀକ୍ଷା କରିବାକୁ ଯାଉଛନ୍ତି ତେବେ ସତର୍କ ରୁହନ୍ତୁ । ହୁଏତ ଆପଣଙ୍କ ଅଜାଣତରେ ଏହି ସଂସ୍ଥା ଆପଣଙ୍କ ଠାରୁ ଅଧିକ ଟଙ୍କା ଆଦାୟ କରିପାରେ । ଆରଟିପିସିଆର ଏବଂ ଆଂଟିଜେନ ଟେଷ୍ଟ ପାଇଁ ସରକାର ଗୋଟିଏ ଦର ନିର୍ଦ୍ଧାରଣ କରିଥିବା ବେଳେ ଏହି ଅନୁଷ୍ଠାନ ଗୁଡିକ ଅଧିକ ଟଙ୍କା ନେଉଥିବା କନକ ନ୍ୟୁଜ ଇନଭେଷ୍ଟିଗେସନରୁ ଜଣାପଡିଛି ।
ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ ଡାଏଗ୍ନୋଷ୍ଟିକ ସେଂଟରର ଇଏ ହେଉଛି ଘଟଣା । କରୋନା ପରୀକ୍ଷା ପାଇଁ ଥିବା ଆରଟିପିସିଆର ଟେଷ୍ଟ କରିବା ପାଇଁ କେତେ ଟଙ୍କା ଦେବାକୁ ପଡିବ । କନକ ନ୍ୟୁଜ ପ୍ରତିନିଧିଙ୍କ ଏହି ପ୍ରଶ୍ନର ଉତ୍ତରରେ କଷ୍ଟମର କେୟାରରେ ଥିବା ବ୍ୟକ୍ତି ଜଣଙ୍କ କହିଥିଲେ ୯୦୦ ଟଙ୍କା । ଯଦି ଘରକୁ ଯାଇ ସାମ୍ପୁଲ ଆଣିବାକୁ ପଡେ ତେବେ ୧ ହଜାର ଟଙ୍କା ଦେବାକୁ ପଡିବ । ବାସ୍ତବିକ ଏହି ପରୀକ୍ଷା ପାଇଁ ସରକାରୀ ନିର୍ଦ୍ଦେଶନାମା ରହିଛି ୪୦୦ ଟଙ୍କା । କାହିଁକି ଅଧିକ ଟଙ୍କା ନେଉଛ ବୋଲି ପଚାରିବାକୁ କୌଣସି ଉତ୍ତର ନଥିଲା ତାଙ୍କ ପାଖରେ ।
ରାଜଧାନୀରେ ଏହିଭଳି କିଛି ସଂସ୍ଥା କରୋନା ପରୀକ୍ଷା କରିବା ପାଇଁ ନିର୍ଦ୍ଧାରିତ ଦର ଠାରୁ ଅଧିକ ଟଙ୍କା ନେଉଥିବା କଥା ଜଣାପଡିଛି । ସରକାରୀ ନିର୍ଦ୍ଦେଶନାମା ଅନୁସାରେ ଆଂଟିଜେନ ଟେଷ୍ଟ ପାଇଁ ପୂର୍ବରୁ ୪୫୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ଦେବାକୁ ପଡୁଛି ୧୦୦ଟଙ୍କା । ସେହିପରି ଆରଟିପିସିଆର ଟେଷ୍ଟ ପାଇଁ ଡିସେମ୍ବର ୨ ତାରିଖରୁ ୪୦୦ଟଙ୍କା ଦେବାକୁ ପଡୁଛି । କିନ୍ତୁ ଏହି ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ହେଉଛି ।
ସରକାରୀ ନିର୍ଦ୍ଦେଶନାମା ଗୋଟିଏ କଥା କହୁଥିବା ବେଳେ ଏହି ବେସରକାରୀ ଅନୁଷ୍ଠାନ ଗୁଡିକ ମନଇଚ୍ଛା ଟଙ୍କା ନେଉଥିବା ଅଭିଯୋଗମାନ ଆସୁଛି । ଏନେଇ ଆମେ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସହିତ କଥା ହୋଇଥିଲୁ । ତାଙ୍କର କହିବା ହେଲା, ଯଦି ଏପରି ହେଉଛି ତେବେ ଡିଏମଇଟିଙ୍କ ନିକଟରେ ଅଭିଯୋଗ କରନ୍ତୁ ।