କରୋନା ମୁକାବିଲା ପାଇଁ ସରକାରଙ୍କ ଜୋରଦାର ହେଲା ପ୍ରସ୍ତୁତି । କୋଭିଡ୍ କେୟାର ସେଂଟରରେ ଆନୁସଙ୍ଗିକ ସୁବିଧା ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର ।

128

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ସରକାରଙ୍କ ଜୋରଦାର ହେଲା ପ୍ରସ୍ତୁତି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସ୍ଥିତି ଉପରେ କଡା ନଜର ରଖିଛନ୍ତି ସରକାର । ଆଜି ସମସ୍ତ ଜିଲ୍ଲାପାଳ, ମ୍ୟୁନସିପାଲ କମିଶନର, ସିଡିଏମଓଙ୍କୁ କୋଭିଡ୍ କେୟାର ସେଂଟରକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । କୋଭିଡ୍ କେୟାର ସେଂଟରରେ ଶଯ୍ୟା ଓ ଆନୁସଙ୍ଗିକ ସୁବିଧା ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ନିୟମିତ କୋଭିଡ୍ କେୟାର ସେଂଟରରେ ରହୁଥିବା ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ରାଜ୍ୟ ସରକାରଙ୍କୁ ଦେବାକୁ ମଧ୍ୟ କୁହାଯାଇଛି । ସେହିପରି ସ୍ୱଳ୍ପ କିମ୍ବା ବିନା ଲକ୍ଷଣ ଥିବା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । କିନ୍ତୁ ଏ ଧରଣ କୌଣସି ବ୍ୟକ୍ତିଙ୍କର ଗୃହ ସଙ୍ଗରୋଧ ସୁବିଧା ନଥିଲେ ତାଙ୍କୁ କୋଭିଡ୍ କେୟାର ସେଂଟରରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସିଏସ ।