ଅମାନିଆ ବିଦେଶ ଫେରନ୍ତାଙ୍କ ଉପରେ କଠୋର ହେଲେ ରାଜ୍ୟ ସରକାର: ଫୋନର ଉତ୍ତର ନଦେଲେ ବା ଫୋନ ବନ୍ଦ ରଖିଲେ ହେବ କଡା କାର୍ଯ୍ୟାନୁଷ୍ଠାନ

କ୍ୱାରେନଂଟିନ୍ ଆଇନ୍ ଉଲ୍ଲଂଘନ ଧାରା ନିଆହେବ ପଦକ୍ଷେପ

936

କନକ ବ୍ୟୁରୋ: ଆପଣ ବିଦେଶରୁ ଫେରିବା ପରେ ଫୋନ ଅଫ୍ କରି ଦେଇଛନ୍ତି କି, ତେବେ ସାବଧାନ ଏଥିପାଇଁ ଆପଣଙ୍କୁ ଦଣ୍ଡ ଭୋଗିବାକୁ ପଡିପାରେ । କିଛି ଅମାନିଆ ବିଦେଶୀ ଫେରନ୍ତା ରାଜ୍ୟକୁ ଫେରିବା ପରେ ରାଜ୍ୟ କଲ୍ ସେଂଟରର ଫୋନ ଉଠାଉ ନଥିବା ଅଭିଯୋଗ ଆସିବା ପରେ ଏପରି କଠୋର ନିଷ୍ପତି ନେଇଛନ୍ତି ସରକାର । ଫୋନ ସୁଇଚ୍ ଅଫ୍ ହୋଇଥିଲେ କିମ୍ବା ଫୋନ୍ ନଉଠାଇଲେ ଏଣିକି ଆଇନ ଅନୁସାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଦେଶରୁ ଫେରୁଥିବା ବ୍ୟକ୍ତି ରାଜ୍ୟ ସରକାରଙ୍କ ନିକଟରେ ପଂଜିକରଣ କରି ଘରକୁ ଫେରୁଛନ୍ତି ।

ଯେଉଁ ଫୋନ ନମ୍ବର ପଂଜିକୃତ କରାଇଛନ୍ତି, ୧୦୪ ଓ ସରକାରଙ୍କ କଲ ସେଂଟରରୁ ସେହି ଫୋନ ନମ୍ବରକୁ ଯୋଗାଯୋଗ କରାଯିବା ପରେ କିଛି ବିଦେଶୀ ଫେରନ୍ତାଙ୍କ ଫୋନ ସୁଇଚ୍ ଅଫ୍ ଆସୁଛି । ସେହି ଅମାନିଆ ବିଦେଶୀ ଫେରନ୍ତାଙ୍କୁ ଚେତାବନୀ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍ କରି କହିଛି, ଯଦି କାହାରି ଫୋନ ସୁଇଚ୍ ଅଫ୍ ରୁହେ କିମ୍ବା ସରକାରଙ୍କ ଫୋନ କଲ ନ ଉଠାନ୍ତି, ତେବେ ଏହାକୁ ହୋମ କ୍ୱାରେଂଟିନ୍ ନିୟମ ଉଲଂଘନ ଭାବେ ବିଚାର କରାଯିବ । ଆଇନ ଅନୁସାରେ ସେମାନେ ଦଣ୍ଡିତ ହେବେ ।