ରଜ ପାଇଁ ନାଇଟ୍ କର୍ଫ୍ୟୁ କୋହଳ: ଆଜି ସଂଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ ଟା ଯାଏଁ ଖୋଲା ରହିବ ବଜାର; ରାତି ୧୦ରୁ ସକାଳ ୫ଟା ଯାଏଁ ଲାଗିବ କର୍ଫ୍ୟୁ

ଦୋକାନ ବଜାରରେ କିଣାକିଣି ସମୟରେ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ

374

କନକ ବ୍ୟୁରୋ: ଆସୁଛି ଓଡିଆଙ୍କ ସବୁଠାରୁ ବଡ ପର୍ବ ରଜ । ଦିନକ ପରେ ଅର୍ଥାତ ରବିବାର ଠାରୁ ଆରମ୍ଭ ହେବ ରଜ ପର୍ବ । ତେବେ ଏହି ପର୍ବକୁ ସତର୍କତା ସହ ପାଳନ ପାଇଁ ପରାମର୍ଶ ଦେଇଛନ୍ତି ସରକାର । ରଜ କେମିତି ପାଳନ କରିବେ ସେଥିପାଇଁ ପରାମର୍ଶ ଦେବାକୁ ସ୍ୱତନ୍ତ୍ର ଭାବେ ସରକାରଙ୍କ ତରଫରୁ ପ୍ରେସମିଟ୍ ଡକାଯାଇଥିଲା । ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ରଜ ପାଳନ ନେଇ କଟକଣା ଲଗାଇଛି ପ୍ରଶାସନ । ଏପଟେ ଭୁବନେଶ୍ୱରରେ ଭିଡକୁ ଦେଖି ଶୁକ୍ରବାର ରାତି ୧୦ ଟା ପର୍ଯ୍ୟନ୍ତ କର୍ଫ୍ୟୁକୁ କୋହଳ କରିବାକୁ ପ୍ରଶାସନ ନିଷ୍ପତି ନେଇଛି । ଦୋକାନରେ କିଣିକିଣି ସମୟରେ ସାମାଜିକ ଦୂରତା ରକ୍ଷା କରିବାକୁ ଦିଆଯାଇଛି ନିର୍ଦେଶ । ଆଜି ରାତି ୧୦ରୁ ସକାଳ ୫ଟା ଯାଏଁ ଲାଗିବ ରାତ୍ରି କାଳୀନ କର୍ଫ୍ୟୁ ।

ରଜ ପାଇଁ କର୍ଫ୍ୟୁ କୋହଳ । ରଜ ପର୍ବକୁ ନଜରରେ ରଖି ଆଜି ରାତି କର୍ଫ୍ୟୁକୁ କୋହଳ କରିଛନ୍ତି ରାଜ୍ୟ ସରକାର । ଆଜି ସଂଧ୍ୟା ୭ଟାରୁ କର୍ଫ୍ୟୁ ଜାରି ହେବ ନାହିଁ । ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ଆଜି ରାତି ୧୦ରୁ କର୍ଫ୍ୟୁ ଲାଗୁ ହେବ । ରବିବାର ପହିଲି ରଜ ଥିବା ବେଳେ ଶନିବାର ଓ ରବିବାର ସଟ୍ ଡାଉନ୍ ରହିବ । ତେଣୁ ଆଜି ସଂଧ୍ୟାର କର୍ଫ୍ୟୁ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସେପେଟ ରଜ ଉତ୍ସବକୁ ଦୃଷ୍ଟିରେ ରଖି କରୋନା ପାଇଁ ଉଗ୍ରତାର ପୀଠ ଓ ବରୁଣେଇ ମନ୍ଦିରରେ ଲାଗିବ ୧୪୪ ଧାରା । ୧୪ ତାରିଖରୁ ୨୦ ତାରିଖ ଯାଏଁ ପ୍ରତିବର୍ଷ ସେଠାରେ ରଜ ଉତ୍ସବ ପାଳନ କରାଯାଏ । ଅଧିକ ଜନସମାଗମ ହେବାର ସମ୍ଭାବନା ଥିବାରୁ ଏଠାରେ ୭ ଦିନ ଧରି ୧୪୪ ଧାରା ଜାରି କରାଯିବ । ୟଏହି ସମୟରେ କୌଣସି ପ୍ରକାର ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବନି । ସେହିପରି କେନ୍ଦୁଝରରେ ରଜ ପର୍ବ ପାଳନ ପାଇଁ ହେଉଥିବା ସମସ୍ତ ପ୍ରକାର ମେଳା, ମେହୋତ୍ସବ ଓ ଦୋଳି ଖେଳ ଉପରେ ରୋକ୍ ଲଗାଇଛି ଜିଲ୍ଲାପ୍ରଶାସନ ।

ଆସନ୍ତା  ୧୬ ତାରିଖ ପର୍ଯ୍ୟନ୍ତ ଏହି କଟକଣା ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ସମୟରେ କୌଣସି ପ୍ରକାର ଜନସମାଗମ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । ତେବେ ଏହି ସମୟରେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଗାର୍ମେଂଟ ଓ ଷ୍ଟେସନାରୀ ଦୋକାନ ସମେତ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଦେକାନ ଖୋଲା ରହିବ । ତେବେ ଅନ୍ୟ ଦୋକାନ ଗୁଡିକ ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲାବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି ।