ଦିବଙ୍ଗତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ୧୫ ଲକ୍ଷ ସହାୟତା । ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ।

213

କନକ ବ୍ୟୁରୋ: ପ୍ରବୀରଙ୍କ ପରିବାରକୁ ସହାୟତା । କରୋନାରେ ଆଖି ବୁଜିଥିବା ଦିବଙ୍ଗତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରବୀରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କଲେ ରାଜ୍ୟ ସରକାର । ତେବେ ପରପାରିରେ ଥିବା ପ୍ରତିଭାବାନ ସାମ୍ବାଦିକ ପ୍ରବୀରଙ୍କ ପରିବାରକୁ ସହାୟତା କରିଥିବାରୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ।

ତେବେ ଗତ ନଭେମ୍ବର ୫ ତାରିଖରେ କରୋନାରେ ହାରିଯାଇଥିଲେ ପ୍ରବୀର । କରୋନାରୁ ଭଲ ହେବା ପରେ ବି ପୁଣି ଅସୁସ୍ଥ ହୋଇଥିଲେ ପ୍ରବୀର । ଆଉ ମୃତ୍ୟୁ ସହ ଲଢେଇ କରି ଶେଷରେ ଆଖିବୁଜିଥିଲେ ପ୍ରତିଭାବାନ ସାମ୍ବାଦିକ ପ୍ରବୀର ପ୍ରଧାନ । ତେବେ ଘରୋଇ ଚ୍ୟାନେଲ ନ୍ୟୁଜ-୧୮ ଓଡିଆରେ ଦୀର୍ଘଦିନ ଧରି କାମ କରୁଥିଲେ ପ୍ରବୀର । ନିଜର କର୍ତବ୍ୟ ସମ୍ପାଦନ, ବ୍ୟବହାର ଓ ମେଳାପୀ ସ୍ୱଭାବ ପାଇଁ ପ୍ରବୀର ସମସ୍ତଙ୍କ ନିକଟରେ ପ୍ରିୟଭାଜନ ହୋଇପାରିଥିଲେ ।

ପ୍ରବୀରଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ବିଭିନ୍ନ ଆଡୁ ସହାୟତାର ହାତ ବଢିଥିବା ବେଳେ ସେଂଟ ଜାଭିୟର ଇଂଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ସହାୟତାର ହାତ ବଢାଇଥିଲେ । ମୃତ ପ୍ରବୀରଙ୍କ ପରିବାରକୁ ସମବେଦନ ଜଣାଇବା ସହ ପ୍ରବୀରଙ୍କ ଝିଅଙ୍କୁ ପାଠପଢ଼ାଇବାର ପ୍ରତିଶ୍ରୃତି ଦେଇଥିଲେ । ଝିଅକୁ ଯୁକ୍ତ ଦୁଇ ଯାଏଁ ମାଗଣା ପାଠପଢ଼ାଇବାର ପ୍ରତିଶ୍ରୁତି ଦେଇଥିଲେ । ଆଉ ଆଜି ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧା ପ୍ରବୀରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ।