କନକ ବ୍ୟୁରୋ : ସମୁଦ୍ରକୁ ବହିଯାଉଥିବା ମହାନଦୀର ଜଳକୁ ପିଇବାପାଣି, ଜଳସେଚନ ନିମନ୍ତେ ଉପଯୋଗ କରାଯିବ। ଏଥିପାଇଁ ହୀରାକୁଦର ତଳମୁଣ୍ଡରେ ୭ଟି ବ୍ୟାରେଜ୍, ଆନିକଟ୍ ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ମହାନଦୀର ଶାଖା ଓ ଉପ ନଦୀମାନଙ୍କରେ ପ୍ରାୟ ୨୨ଟି ବ୍ୟାରେଜ, ଆନିକଟ ନିର୍ମାଣ କରାଯିବ। ମହାନଦୀର ଜଳ ଉପଯୋଗ ଯୋଜନାକୁ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତି ଚାଲିଛି। ଏହା ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଳ ସଂପଦ ବିଭାଗ କାର୍ୟ୍ୟର ସମୀକ୍ଷା କରିବା ସମୟରେ ଏଭଳି ନିଷ୍ପତ୍ତି ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଜଳ ସଂପଦ ବିଭାଗ ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି। ସେ କହିଲେ, ମହାନଦୀର ତଳମୁଣ୍ଡରେ ୭ଟି ବ୍ୟାରେଜ୍, ଆନିକଟ୍ ପ୍ରକଳ୍ପ ନିର୍ମାଣ ପାଇଁ ଚିହ୍ନଟ ଏବଂ ସର୍ଭେ କରାଯାଇଛି। ଏସବୁ ପ୍ରକଳ୍ପଗୁଡ଼ିକର ବୈଷୟିକ ଏବଂ ଅନ୍ୟାନ୍ୟ ଅନୁଧ୍ୟାନ ଦାୟିତ୍ୱ ଆଇଆଇଟି, ରୁରକିଙ୍କୁ ଦିଆଯାଇଛି। ସେହିପରି ମହାନଦୀର ଶାଖା ଏବଂ ଉପ ନଦୀମାନଙ୍କରେ ପ୍ରାୟ ୨୨ଟି ବ୍ୟାରେଜ୍, ଆନିକଟ୍ ଭଳି ପ୍ରକଳ୍ପ କରାଯିବାକୁ ସ୍ଥିର ହୋଇଛି। ଖଇରମାଳରେ ନଦୀବନ୍ଧ ପ୍ରକଳ୍ପ ପ୍ରସ୍ତାବ ରହିଛି।
ତେବେ ପୂର୍ବରୁ ରାଜନୈତିକ ଦୃଷ୍ଟିକୋଣରୁ ପରିତ୍ୟକ୍ତ ହୋଇଥିବା ସିଣ୍ଢୋଳ ବ୍ୟାରେଜ ପ୍ରକଳ୍ପ ପ୍ରସଙ୍ଗକୁ ସେ ଏଡ଼ାଇ ଯାଇଥିଲେ। ଶ୍ରୀ ଜେନାଙ୍କ କହିବାନୁସାରେ ରାଜ୍ୟରେ ମହାନଦୀ ଅବବାହିକାରେ ଲୋୟର ଇନ୍ଦ୍ର, ସୁକତେଲ, ତେଲ, ଜୀରା, ଅଙ୍ଗ, ଲୋୟର ଲାନ୍ଥ, ଅପର ଲାନ୍ଥ, ଇବ୍ ନଦୀ, ବୃତ୍ତଙ୍ଗ ଭଳି ବିଭିନ୍ନ ଜଳସେଚନ ପ୍ରକଳ୍ପଗୁଡ଼ିକ ଆଗେଇ ଚାଲିଛି। ଏଗୁଡ଼ିକ କ୍ଷୁଦ୍ର, ମଧ୍ୟମ, ବୃହତ ପର୍ଯ୍ୟାୟର ଜଳସେଚନ ପ୍ରକଳ୍ପ। ଏଥିମଧ୍ୟରୁ ଅଧିକାଂଶ କେନ୍ଦ୍ରୀୟ ସ୍ତରରେ ମଞ୍ଜୁରି ପାଇସାରିଛି। ଭଞ୍ଜଦେଓ କମିଟି ରିପୋର୍ଟ ଅନୁଯାୟୀ ମହାନଦୀ ଓଡ଼ିଶାର ଗଙ୍ଗା। ଏହା ଆନ୍ତଃରାଜ୍ୟ ନଦୀ ହୋଇଥିଲେ ବି ଏଥିରୁ ଓଡ଼ିଶା ୧୨ ମ୍ୟାପ୍ ଏବଂ ଛତିଶଗଡ଼ ୮ ମ୍ୟାପ୍ ଜଳ ପାଇବା କଥା। ଏଥିରେ ଛତିଶଗଡ଼ ଖିଲାପ କରି ଶତାଧିକ ବ୍ୟାରେଜ୍, ନଦୀବନ୍ଧ ପ୍ରକଳ୍ପ ନିର୍ମାଣ କରିଥିବାରୁ ଏହାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଜଳ ବିବାଦ ଉପୁଜିଛି।
ସୁପ୍ରିମ କୋର୍ଟଙ୍କ ନିର୍ଦେଶରେ ଗଠିତ ମହାନଦୀ ଟ୍ରିବ୍ୟୁନାଲ୍ର ସ୍ଥିତି ସଂପର୍କରେ ପ୍ରଶ୍ନର ଉତ୍ତର ଦେଇ ପ୍ରମୁଖ ସଚିବ କହିଲେ, ଗତ ମାର୍ଚ ୧୨ ତାରିଖରେ ଟ୍ରିବ୍ୟୁନାଲ୍ ଗଠନ ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କିନ୍ତୁ ଟ୍ରିବ୍ୟୁନାଲ କେଉଁ ଆଧାରରେ ଆନ୍ତଃଜଳ ବିବାଦର ବିଚାର କରିବ, ସେ ନେଇ ମାର୍ଚ ୩୦ ତାରିଖରେ ଲେଟର ଅଫ୍ ରେଫରେନ୍ସ ଜାରି କରିବାକୁ କେନ୍ଦ୍ର ଜଳ ସଂପଦ ମନ୍ତ୍ରାଳୟକୁ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଲେଖିଥିଲେ। ଗତ ଏପ୍ରିଲ ୧୭ ତାରିଖରେ କେନ୍ଦ୍ର ଜଳ ସଂପଦ ସଚିବ ଟ୍ରିବ୍ୟୁନାଲ୍ଙ୍କୁ ଲେଟର ଅଫ୍ ରେଫରେନ୍ସ ଦେଇଛନ୍ତି। ଓଡ଼ିଶାକୁ ଏହା ମିଳିନାହିଁ। ସୁପ୍ରିମ କୋର୍ଟଙ୍କ ଆଦେଶରେ ସୁପ୍ରିମ କୋର୍ଟଙ୍କ ଜଣେ କାର୍ୟ୍ୟରତ ବିଚାରପତିଙ୍କ ସମେତ ଦିଲ୍ଲୀ ଓ ପାଟନା ହାଇକୋର୍ଟରେ କାର୍ଯ୍ୟରତ ୩ଜଣ ବିଚାରପତିଙ୍କୁ ନେଇ ଟ୍ରିବ୍ୟୁନାଲ୍ ଗଠନ କରାଯାଇଛି। ରାଜ୍ୟ ସରକାରଙ୍କୁ ଲେଟର ଅଫ୍ ରେଫରେନ୍ସ ମିଳିବା ପରେ ସୁପ୍ରିମ କୋର୍ଟଙ୍କ ଆଦେଶରେ ଟ୍ରିବ୍ୟୁନାଲଙ୍କୁ ଅତିରିକ୍ତ ପିଟିସନ୍ ପ୍ରଦାନ କରାଯିବ ବୋଲି ଶ୍ରୀ ଜେନା କହିଥିଲେ।
ବିଭାଗୀୟ ସଫଳତା ଉପରେ ବିସ୍ତୃତ ସୂଚନା ଦେଇ ଜଳ ସଂପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଲେ, ରାଜ୍ୟର ପ୍ରାୟ ୬୧ ଲକ୍ଷ ହେକ୍ଟର ଚାଷଜମି ମଧ୍ୟରୁ ପ୍ରାୟ ୪୦୫୭ ଲକ୍ଷ ହେକ୍ଟର ଜମି ପାଇଁ ଜଳସେଚନ ସୁବିଧା ସୃଷ୍ଟି କରାଯାଇଛି। ପୂର୍ବରୁ ଜଳସେଚିତ ଜମିର ପରିମାଣ ଥିଲା ୨୪.୮୭ ଲକ୍ଷ ହେକ୍ଟର। ୨୦୧୪ ନିର୍ବାଚନ ଇସ୍ତାହାରରେ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ସେଥିମଧ୍ୟରୁ ଗତ ଚାରିବର୍ଷରେ ୭.୪ ଲକ୍ଷ ହେକ୍ଟର ଜମିକୁ ଏହି ସୁବିଧା ଦିଆଯାଇଛି। ଅବଶିଷ୍ଟ ଲକ୍ଷ୍ୟ ଚଳିତ ବର୍ଷ ପୂରଣ କରାଯିବ। ଗଭୀର ନଳକୂପ ଯୋଜନାରେ ଗତ ମାର୍ଚ ଶେଷ ସୁଦ୍ଧା ମୋଟ ୬୨୯୨୪ଟି ନଳକୂପ ନିର୍ମାଣ କରି ହିତାଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଛି। ଚଳିତ ବର୍ଷ ଆହୁରି ୨୦ ହଜାର ନଳକୂପ ନିର୍ମାଣ କରାଯିବ। ଗତ ଚାରିବର୍ଷରେ ୪୮୧୪ଟି ଅଚଳ ନଳକୂପକୁ ପୁନରୁଦ୍ଧାର କରାଯାଇଛି। ସେହିପରି ଗତ ଚାରିବର୍ଷରେ ନିର୍ମିତ ଆଡ଼ିବନ୍ଧ ସଂଖ୍ୟା ହେଉଛି ୮୪୧୩।
ଗତ ଚାରିବର୍ଷରେ ୪ ଲକ୍ଷ ହେକ୍ଟର ଚାଷଜମିକୁ ବନ୍ୟା ଦାଉରୁ ରକ୍ଷା କରାଯାଇଛି। ସେହିପରି ବୃହତ୍ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଅଧୀନ ୨୭୪ କି.ମି. ଏବଂ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଧୀନ ୩୭୮ କି.ମି. କେନାଲର ଲାଇନିଙ୍ଗ ସଂପୂର୍ଣ୍ଣ ହୋଇଛି। ସହରାଞ୍ଚଳ ଛାତ ଉପର ବର୍ଷାଜଳ ଅମଳ ପ୍ରକଳ୍ପରେ ପ୍ରଥମ ପର୍ୟ୍ୟାୟରେ ୫ଟି ସହରରେ ୨୨୬ଟି ସରକାରୀ କୋଠା, ୪୦୮୭ ବେସରକାରୀ କୋଠାରେ ବର୍ଷାଜଳ ଅମଳ ପ୍ରକଳ୍ପ ନିର୍ମାଣ ହୋଇଥିବା ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/07/maxresdefault-9.jpg)