ନକଲି ଔଷଧର କାରବାରର କିଙ୍ଗପିନ କିଏ ? କଟକକୁ କେମିତି ଆସିଲା ନକଲି ଫାବିପିରାଭିର; କ୍ରାଇମବ୍ରାଂଚ ତଦନ୍ତର ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

116

କନକ ବ୍ୟୁରୋ : କଟକରୁ ଜବତ ହୋଇଥିବା ନକଲି ଔଷଧ କାରବାରର ତଦନ୍ତ କରିବ କ୍ରାଇମବ୍ରାଂଚ । ନକଲି ଔଷଧର ଚେର କେଉଁଠୁ କେଉଁ ଯାଏଁ ଲମ୍ବିଛି କ୍ରାଇମବ୍ରାଂଚ ତାହାର ଖୋଳତାଡ କରିବ । ନକଲି ଔଷଧର କାରବାରର କ୍ରାଇମବ୍ରାଂଚ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନକଲି ଔଷଧ କାରବାରର କିଙ୍ଗପିନ କିଏ ? କଟକକୁ କେମିତି ଆସିଲା ନକଲି ଫାବିପିରାଭିର ଟାବଲେଟ୍ ? କେଉଁଠୁ ଆସିଥିଲା ? ଓଡିଶାରେ କିଏ ବିଛାଇଥିଲା ଏହି ନକଲି ଔଷଧ କାରବାରର ଜାଲ । ଏହି ଠକେଇ ଗ୍ୟାଙ୍ଗରେ କଟକ ଦୋକାନୀଙ୍କ ଭୂମିକା କଣ? ତଦନ୍ତ କରି କ୍ରାଇମବ୍ରାଂଚ ଏହି ଠକେଇ ଗ୍ୟାଙ୍ଗ ଉପରୁ ପରଦା ହଟାଇବ ।

ଗତ ସପ୍ତାହରେ କଟକ କନିକା ଛକ ସ୍ଥିତ ମେଡିଲଏଡ୍ ମେଡିକାମେଂଟ ପ୍ରାଇଭେଟ ଲିମିଟେଡ୍ରୁ ବିପୁଳ ପରିମାଣର ଫାବି-ପିରାଭିର ମେଡିସିନ ଜବତ କରିଥିଲା ଡ୍ରଗ୍ସ କଂଟ୍ରୋଲର ସ୍କ୍ୱାର୍ଡ । ହିମାଚଳ ପ୍ରଦେଶର ଏକ କଂପାନୀରେ ଏହି ନକଲି ଔଷଧ ପ୍ରସ୍ତୁତ ହେବା ପରେ କଟକକୁ ଆସିଥିବା ଜଣାପଡିଥିଲା । ଏହାରି ଭିତରେ ଡ୍ରଗ୍ସ କଂଟ୍ରୋଲର କହିଛନ୍ତି, ଜବତ ହୋଇଥିବା ଫାବି-ପିରାଭିର ମେଡିସିନ ନକଲି । କିନ୍ତୁ ବଡ କଥା ହେଉଛି, ମେଡିସିନ ଉପରେ ହିମାଚଳ ପ୍ରଦେଶର ପ୍ରସ୍ତୁତ ହୋଇଥିବା ଲେଖା ରହିଥିଲେ ମଧ୍ୟ ସେଭଳି କଂପାନୀ ହିମାଚଳ ପ୍ରଦେଶରେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଡ୍ରଗ୍ସ କଂଟ୍ରୋଲର ।

ସେପଟେ ମେଡିଲଏଡ୍ ମେଡିକାମେଂଟ ପ୍ରାଇଭେଟ ଲିମିଟେଡ୍ରୁ ୯ ପ୍ରକାର ମେଡିସିନ ଜବତ ହୋଇଛି । ଆଉ ଜବତ ମେଡିସିନକୁ ଟେଷ୍ଟ ପାଇଁ ପରୀକ୍ଷାଗାରକୁ ପଠାଯାଇଛି । ଏହାଛଡା ୧୩ ଜିଲ୍ଲାକୁ ସେହି ହୋଲସେଲ ଦୋକାନରୁ ଔଷଧ ଯାଇଥିବାରୁ ସେସବୁ ସ୍ଥାନରେ ମଧ୍ୟ ଖୋଳତାଡ କରାଯାଉଛି ।