ସେପ୍ଟେମ୍ବରରେ କ’ଣ କୋହଳ କରିବେ ସରକାର ? ସପ୍ତାହନ୍ତ ସଟଡାଉନ ହଟାଇବା ପାଇଁ ଉଠିଲା ଦାବି ।

ବ୍ୟବସାୟୀ ସଂଘ କହିଲା ଆଉ କ୍ଷତି ସହି ପାରିବେନି ଛୋଟ ବ୍ୟବସାୟୀ, ପଦକ୍ଷେପ ନିଅନ୍ତୁ ସରକାର

293

କନକ ବ୍ୟୁରୋ: ଦୀର୍ଘଦିନ ଧରି କରୋନା କଟକଣା ଯୋଗୁଁ ଦହଗଞ୍ଜ ହେଉଛନ୍ତି ଲୋକ । ଜୀବନ ଜୀବିକା ବି ପ୍ରଭାବିତ ହୋଇଯାଇଛି । ଆଉ ଏହାରି ଭିତରେ ଦିନେ ଦୁଇ ଦିନ ପରେ ଆସିବ ସେପ୍ଟେମ୍ବର ଗାଇଡଲାଇନ । ତେଣୁ ସପ୍ତାହନ୍ତ ସଟଡାଉନ, ନାଇଟ୍ କର୍ପ୍ୟୁ ଭଳି କଟକଣା ହଟାଇବାକୁ ଦାବି ହେଉଛି । ଏପଟେ କିନ୍ତୁ ପାର୍ବଣ ଋତୁ ଆସୁଥିବାରୁ ରାଜ୍ୟଗୁଡିକୁ ସତର୍କ କରିଦେଇଛନ୍ତି କେନ୍ଦ୍ର ସରକାର । ଭିଡ଼ ନିୟନ୍ତ୍ରଣରେ ନରହିଲେ ଏହା ତୃତୀୟ ଲହରକୁ ସାଙ୍ଗରେ ଆଣିପାରେ ବୋଲି ଚେତାଇ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଓନମ ପରେ କେରଳରେ ହଠାତ୍ ଦୈନିକ ସଂକ୍ରମଣରୁ ଅଧିକ ହୋଇଯାଇଛି, ତେଣୁ ସତର୍କ ରହିବାକୁ କହିଛି କେନ୍ଦ୍ର ।

ତେବେ କେନ୍ଦ୍ରର ସେପ୍ଟେ୍ମ୍ବର ଗାଇଡଲାଇନ୍ ପରେ ଓଡ଼ିଶାରେ କେଉଁ କଟକଣା ରହିବ, କାହାକୁ ହଟାଇବେ ସରକାର । ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ହେଲେ ଜୀବନ-ଜୀବିକାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ଗାଡଡଲାଇନରେ କିଛି ପରିବର୍ତ୍ତନ ଆଣିପାରନ୍ତି ରାଜ୍ୟ ସରକାର…

କ’ଣ ହଟିବ, କ’ଣ ରହିବ?

  • କଟକ, ଭୁବନେଶ୍ୱର ଓ ପୁରୀ ସହରରେ ହଟିପାରେ ସପ୍ତାହନ୍ତ ସଟଡାଉନ
  • ରାଜ୍ୟରେ କୋହଳ ହୋଇପାରେ ନାଇଟ୍ କର୍ଫ୍ୟୁ
  • ରାତି ୧୦ଟା କିମ୍ବା ୧୧ଟାରୁ ସକାଳ ୫ଟା ଯାଏଁ ହୋଇପାରେ ନାଇଟ୍ କର୍ଫ୍ୟୁ
  • ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ଥିବା କଟକଣା କୋହଳ ହୋଇପାରେ

କରୋନା କଟକଣା ଯୋଗୁଁ ରାଜ୍ୟରେ ଅନେକ ଦୋକାନ ବନ୍ଦ ହୋଇଗଲାଣି । ଅନେକ ଲୋକ ତାଙ୍କର ରୋଜଗାର ହରାଇଛନ୍ତି । ଯାହା ସବୁଠୁ ଅଧିକ ଚିନ୍ତା ସୃଷ୍ଟି କରିଛି । ଏପଟେ କେରଳରେ ଓନମ ପର୍ବ ପରେ କିଛି ଦିନ ହେଲା ଦୈନିକ ସଂକ୍ରମଣ ୩୦ ହଜାର ଉପରେ ରହୁଛି । ତେଣୁ ଏହା ମଧ୍ୟ ସରକାରଙ୍କ ପାଇଁ ସତର୍କଘଣ୍ଟି ଭଳି ରହିଛି । ସବୁକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ଗାଇଲଲାଇନ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର ।