କରୋନା ମୃତ୍ୟୁକୁ ନେଇ ବିବାଦ ପରେ ସରକାରଙ୍କ ବଡ ନିଷ୍ପତ୍ତି । ଜିଲ୍ଲାସ୍ତରରେ ଗଠନ ହେବ କମିଟି ।

289

କନକ ବ୍ୟୁରୋ: କରୋନା ଚିକିତ୍ସା ଓ କରୋନା ମୃତ୍ୟୁକୁ ନେଇ ବିବାଦ ତେଜିବା ପରେ ବଡ଼ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ଜିଲ୍ଲା ସ୍ତରରେ କମିଟି ଗଠନ କରାଯିବ । ଚିକତ୍ସାର ମାନକୁ ନେଇ ଅଡିଟ୍ କରିବ ଏହି କମିଟି ଏବଂ କରୋନା ଜନିତ ମୃତ୍ୟୁ ସଂପର୍କରେ ମଧ୍ୟ ଏହି କମିଟି ସମୀକ୍ଷା କରିବ ।

ଜିଲ୍ଲା ସ୍ତରୀୟ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କରୋନା ରୋଗୀଙ୍କୁ କିପରି ଚିକିତ୍ସା ଦିଆଯାଉଛି, ଠିକ୍ ସମୟରେ ଚିକିତ୍ସା ମିଳୁଛି କି ନାହିଁ, ତା’ର ତର୍ଜମା କରିବ ଏହି କମିଟି ।

କରୋନା ଜନିତ ମୃତ୍ୟୁକୁ ରୋକିବା ପାଇଁ ଏହି କମିଟି ଗଠନର ଆବଶ୍ୟକତା ରହିଛି ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ । ଏହି କମିଟିର ଅଧ୍ୟକ୍ଷ ଜଣେ ଅଫିସର ରହିବେ । ଜିଲ୍ଲାପାଳ କିମ୍ବା ମ୍ୟୁନିସପାଲ୍ କମିସନର ଏହି କମିଟିର ଅଧ୍ୟକ୍ଷଙ୍କୁ ଚୟନ କରିବେ । ସିଡିଏମଓ, ପିଏଚ୍ଓ, କୋଭିଡ୍ ଚିକିତ୍ସା କେନ୍ଦ୍ରର ମେଡିକାଲ ଅଫିସର, ଜଣେ ତାଲିମପ୍ରାପ୍ତ ଆଇସିୟୁ ଡାକ୍ତର ଏହି କମିଟିର ସଦସ୍ୟ ରହିବେ ।