କେମିତି ହେବ ପାର୍ବଣ ? ଦୁର୍ଗାପୂଜା ଓ କାଳୀପୂଜା ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର: ନିରାଡମ୍ବର ଭାବେ ହେବ ପୂଜା, ଭକ୍ତଙ୍କୁ ଦର୍ଶନ ମନା

ପୂଜାରୀଙ୍କୁ ମିଶାଇ ପେଣ୍ଡାଲରେ ରହିବେ ସର୍ବାଧିକ ୭ ଜଣ : ୪ ଫୁଟ ରହିବ ମୂର୍ତିର ଉଚ୍ଚତା

486

କନକ ବ୍ୟୁରୋ: ଦୁର୍ଗାପୂଜା ପାଇଁ ଆଜି ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର । ସଂପୂର୍ଣ୍ଣ କଟକଣା ଭିତରେ ଦୁର୍ଗାପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ପାଳନ କରିବା ପାଇଁ ଏଥିରେ କୁହାଯାଇଛି । କଟକଣା ଏତେ କଡା ରହିଛି, ଯେ ସାଧାରଣ ଲୋକଙ୍କୁ ମଣ୍ଡପରେ ଦେବୀ ଦର୍ଶନ ମଧ୍ୟ ବାରଣ କରାଯାଇଛି ।

ଚଳିତ ବର୍ଷ କଟକଣା ଭିତରେ ପାଳିତ ହେବ ଦୁର୍ଗାପୂଜା ଓ କାଳୀ ପୂଜା । ଆସନ୍ତା ନଭେମ୍ବର ମାସ ମଧ୍ୟରେ ହେବାକୁ ଥିବା ସମସ୍ତ ସାର୍ବଜନୀନ ପୂଜା ପାଇଁ ଏହି କଟକଣା ଲାଗୁ ହେବ ବୋଲି ବିଜ୍ଞପ୍ତି ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ।

• ଜିଲ୍ଲା ପ୍ରଶାସନର ଅନୁମତି ନେଇ ନିରାଡମ୍ବର ପୂଜା ହେବ

• ଘର ଭିତରେ ପୂଜା ଶୈଳୀରେ ପୂଜା ହେବ

• କେବଳ ପାରମ୍ପାରିକ ରୀତିନୀତି ପାଳନ ହେବ

• ସାଧାରଣ ଲୋକ ସାମିଲ ହୋଇପାରିବେ ନାହିଁ

• ପୂଜା ମଣ୍ଡପ ତିନିପଟୁ ସଂପୂର୍ଣ୍ଣ ବନ୍ଦ ରହିବ

• ଚତୁର୍ଥ ପାଶ୍ୱର୍ ମଧ୍ୟ ଆଂଶିକ ବନ୍ଦ ରହିବ

• ସାଧାରଣ ଦର୍ଶନ ବନ୍ଦ ରହିବ

• ପୂଜା ସ୍ଥାନରେ ପୂଜକ ଓ କର୍ତ୍ତାଙ୍କ ସହ ୭ ଜଣ ରହିପାରିବେ

• ପ୍ରତିମାର ଉଚ୍ଚତା ୪ ଫୁଟ୍ ମଧ୍ୟରେ ରହିବ

ଚଳିତ ବର୍ଷର ଭସାଣି ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏହା ସହ କୌଣସି ମନୋରଂଜନ କାର୍ଯ୍ୟକ୍ରମ ଓ ଡାକବାଜି ବ୍ୟବହାରକୁ ମଧ୍ୟ ବାରଣ କରାଯାଇଛି । ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ଉଲଂଘନ କଲେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ସ୍ପଷ୍ଟ ଭାବେ ସୂଚନା ଦିଆଯାଇଛି ।

ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍କୁ ନେଇ ପୂଜାକମିଟି ମଧ୍ୟରେ ଆରମ୍ଭ ହୋଇଛି ଅସନ୍ତୋଷ । ବିଶେଷ କରି ଛୋଟ ମୂର୍ତି ନିର୍ମାଣ କରିବାକୁ ସେମାନେ ବିରୋଧ କରିଛନ୍ତି । ଏହା ଦ୍ୱାରା ମୂର୍ତି ନିର୍ମାଣ ଏବଂ ଆନୁଷଙ୍ଗିକ ବ୍ୟବସ୍ଥାରେ ଅସୁବିଧା ହେବ ବୋଲି ସେମାନେ ପ୍ରତିକ୍ରିୟା ରଖିଛନ୍ତି । ଏପରିକି ଏହି ପ୍ରସଙ୍ଗ ନେଇ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ସେମାନେ କହିଛନ୍ତି । କୋଭିଡ୍ କଟକଣା ମଧ୍ୟରେ ପୂଜା କରିବା ପାଇଁ ସରକାରଙ୍କୁ ପୂର୍ବରୁ ଆୟୋଜକମାନେ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ସାରାଦେଶରେ କଟକଣା କୋହଳ ହୋଇଥିବାରୁ ନିର୍ଦ୍ଦେଶନାମାରେ କେତେକ ପରିବର୍ତନ ଦାବି କରୁଛନ୍ତି ପୂଜା କମିଟି ।