ଡିଲ୍ ପ୍ରସଙ୍ଗରେ ମୁହଁ ଖୋଲିଲେ କଂଗ୍ରେସ ବିଧାୟକ ବିଧାୟକ ତାରା ବାହିନୀପତି : ବିଜେପି ଦଳର ମତି ଭ୍ରମ ହେଲାଣି, ତାଙ୍କ ମୁଣ୍ଡ କାମ କରୁନି

ଆଜି ପ୍ରତାପ ଜେନାଙ୍କ ପ୍ରସଙ୍ଗରେ ବିଜେପି ଲୁଚି ବସିଛି, ଜଣାପଡୁଛି ବିଜେଡି ଓ ବିଜେପି ଡିଲ ହୋଇଛି ସେମାନେ ଭାଇ ଭାଇ

145

କନକ ବ୍ୟୁରୋ : ଡିଲ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । କହିଲେ,  ବିଜେପି ଦଳର ମତି ଭ୍ରମ ହେଇ ସାରିଲାଣି । ତାଙ୍କର ମୁଣ୍ଡ କାମ କରୁନି । ଗତକାଲି ବିଜେପି ଷ୍ଟାପ ସିଲେକସନ କଥା ମୁଲତବୀ ପ୍ରସ୍ତାବ ଆଣିଥିଲା ଆଜି ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ଆଣିଛନ୍ତି । ନିୟମ ଅନୁଯାୟୀ ଗତକାଲି ଆଲୋଚନା ହୋଇ ନଥିବା ପ୍ରସଙ୍ଗ ଆଜି ଆଲୋଚନା ହେବା କଥା । କିନ୍ତୁ ଗତକାଲି ମୁଲତବୀ ପ୍ରସ୍ତାଵ ଆଲୋଚନା ହୋଇ ନଥିବା ବେଳେ କାହିଁକି ପୁଣି ଆଇନ ଶୃଙ୍ଖଳା ପ୍ରସଙ୍ଗ କଥା ଆଣିଲା ବିଜେପି ବୋଲି ପ୍ରଶ୍ନ କଲେ ତାରା ।

ଆରମ୍ଭରୁ କଂଗ୍ରେସ ଚାଷୀ କଥା ଓ ଷ୍ଟାଫ୍ ସିଲେକ୍ସନ୍ କଥା ଉଠାଇ ଆସିଛି । ଯାହାର ଆଲୋଚନା ହେବା ଆବଶ୍ୟକତା ରହିଛି । ଦୁର୍ନୀତି ଚେର୍ ଯେଭଳି ଭାବେ ଲମ୍ବି ଚାଲିଛି ତାହା ଲୋକଲୋଚନକୁ ଆସିବା ଜରୁରୀ । ଶିକ୍ଷିତ ଯୁବକ ଯୁବତୀମାନେ ନ୍ୟାୟ ପାଇବା ଉଚିତ୍ । ଆଜି ବିଜେପି ଦଳ ପ୍ରତାପ ଜେନାଙ୍କ ପ୍ରସଙ୍ଗକୁ ଉଠାଇଲେ ନାହିଁ ।  ମୂଷା ବିଳେଇକୁ ଦେଖି ଯେମତି ଲୁଚି ଚୁପ ହୋଇ ବସେ ସେମିତି ଆଜି ପ୍ରତାପ ଜେନାଙ୍କ ପ୍ରସଙ୍ଗରେ ବିଜେପି ଲୁଚି ବସିଛି । ଏଥିରୁ ଜଣା ପଡୁଛି ବିଜେଡି ଓ ବିଜେପି ଡିଲ ହୋଇଛି ସେମାନେ ଭାଇ ଭାଇ । ହେଲେ କଂଗ୍ରେସ କାହା ସହିତ ନାହିଁ ।

ସେପଟେ, ଆଜି ବି ବିଧାନସଭା ଚାଲିପାରି ନାହିଁ । ଗୃହ ଆରମ୍ଭରୁ ଷ୍ଟାଫ୍ ସିଲେକ୍ସନ୍ ଦୁର୍ନୀତି କଥା ଉଠାଇ ହୋ ହଲ୍ଲା ଆରମ୍ଭ କରିଦେଲେ କଂଗ୍ରେସ ସଦସ୍ୟ । ମାତ୍ର କେଇ ସେକେଣ୍ଡ ଭିତରେ ବାଚସ୍ପତି ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରିଦେଲେ । ତେବେ ଏହି ଘଟଣା ପରେ ବିଜେପ, କଂଗ୍ରେସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି । ଦଳ କହିଛି, ମାହାଙ୍ଗା ଡ଼ବଲ ମର୍ଡ଼ର ପ୍ରସଙ୍ଗ ବଦଳାଇବା ପାଇଁ କଂଗ୍ରେସ ଭିନ୍ନ ଭିନ୍ନ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରୁଛି । ବିଜେପିର ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, କଂଗ୍ରେସ ଜାଣିଛି ଯେ, ଏହା ବିଜେଡ଼ିକୁ ସୁହାଇବ ଏବଂ ମାହାଙ୍ଗା ହତ୍ୟା ଘଟଣା ଉପରେ ବିଧାନସଭାରେ ଆଲୋଚନା ହୋଇପାରିବ ନାହିଁ । ଜାଣିଶୁଣି କଂଗ୍ରେସ ଓ ବିଜେଡ଼ି ଏଭଳି ଏକ ଡ଼ିଲ କରିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି ।