କନକ ବ୍ୟୁରୋ: ଦୁଇ ମାସ ପୂର୍ବରୁ ରାଜ୍ୟର ସବୁଠାରୁ ପାୱାରଫୁଲ ବ୍ୟକ୍ତି କୁହାଯାଉଥିବା ଭି.କେ.ପାଣ୍ଡିଆନ୍ ଘରୁ ବାହାରିଲେ ହେଲିକପ୍ଟରରେ ଯାଉଥିଲେ। ଏମିତି କି ସରକାରୀ ଚାକିରି କରିଥିବାବେଳେ ବାହାଘର ଭୋଜି ଖାଇବାକୁ ବି ହେଲିକପ୍ଟର ନେଇ ଯାଉଥିଲେ ବୋଲି ଅଭିଯୋଗ ହୋଇଥିଲା। କିନ୍ତୁ ଏନେଇ ଯିଏ ପ୍ରଶ୍ନ ଉଠାଉଥିଲା ତାଙ୍କ ସ୍ୱରକୁ ଚାପି ଦିଆଯାଉଥିଲା । ହେଲେ, ସରକାର ବଦଳିବା ପରେ ସେ କରିଥିବା ଆଇନ ବିରୋଧୀ କାମ ତାଙ୍କ ପାଇଁ ମହଙ୍ଗା ପଡିବାକୁ ଯାଉଛି।
  • ପାଣ୍ଡିଆନଙ୍କ ପାଇଁ ବଢୁଛି ଅଡୁଆ
  • ଏତଲା ଦେବେ ସୂଚନା ଅଧିକାର କର୍ମୀ

ନିର୍ବାଚନ ପୂର୍ବ ଓ ନିର୍ବାଚନ ସମୟରେ ସାରା ରାଜ୍ୟରେ ହେଲିକପ୍ଟରରେ ଉଡି ବେଶ ଚର୍ଚ୍ଚା ସାଉଁଟିଥିଲେ ଭି.କେ.ପାଣ୍ଡିଆନ। ଏହାକୁ ନେଇ ସବୁ ସ୍ତରରେ ପୁଳାପୁଳା ପ୍ରଶ୍ନ ଉଠିଥିଲା । ପାଣ୍ଡିଆନଙ୍କ ହେଲିକପ୍ଚର ଖର୍ଚ୍ଚ ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ସୂଚନା ମଗାଯାଇଥିଲେ ବି ତାହା ଦିଆଯାଇନଥିଲା । ଏବେ ରାଜ୍ୟ ସରକାର ଏ ନେଇ ଯାଞ୍ଚ ଆରମ୍ଭ କରିବା ପରେ ସକ୍ରିୟ ହୋଇଛନ୍ତି ସୂଚନା ଅଧିକାରୀ କର୍ମୀ । ନିୟମକୁ ଉଲଂଘନ କରି ପାଣ୍ଡିଆନ ବ୍ୟକ୍ତିଗତ କାମରେ ହେଲିକପ୍ଟର ବ୍ୟବହାର କରିବା ଅଭିଯୋଗରେ ଏତଲା ଦେବେ ବୋଲି କହିଛନ୍ତି ସୂଚନା ଅଧିକାର କର୍ମୀ ।  ଏଥିସହ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବି ଦାବି କରିଛନ୍ତି ।

ପରିବହନ ବିଭାଗ ଆରଟିଆଇରେ ଦେଇଥିବା ତଥ୍ୟ  ଅନୁସାରେ, ଚାଟାର୍ଡ ଫ୍ଲାଇଟରେ ୯-୧୦ ଥର  ଓ ହେଲିକପ୍ଟରକୁ ବ୍ୟକ୍ତିଗତ ଭାବେ ୨-୩ଥର ବ୍ୟବହାର କରିଛନ୍ତି ପାଣ୍ଡିଆନ। ଏଥିସହ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଯୋଗୁଁ  ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି  ବୋଲି ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ ।

  • ୨୦୨୩ ପରେ ପାଣ୍ଡିଆନ ଅଭିଯୋଗ ପତ୍ର ଆଣିବା ପାଇଁ ୨୦୦ ଶହ ଥର ଗସ୍ତ କରିଛନ୍ତି
  • ଏ ନେଇ ତଥ୍ୟ ମଗାଯାଇଥିଲେ ବି ତଥ୍ୟ ମିଳିନାହିଁ
  • ୨୦୧୯-୨୦୨୪ ଜିଲ୍ଲା ଗସ୍ତ ସମ୍ପର୍କରେ ତଥ୍ୟ ମିଳୁପାରୁନାହିଁ
  • ୭ ଜିଲ୍ଲାରୁ ପାଣ୍ଡିଆନଙ୍କ ହେଲିପ୍ୟାଡ ପାଇଁ ତଥ୍ୟ ମିଳିଛି
  • ହେଲିପ୍ୟାଡ ପାଇଁ ୫୦-୬୦ ଲକ୍ଷ ଖର୍ଚ୍ଚ ଆକଳନ
  • ପ୍ରତି ହେଲିପ୍ୟାଡ ପାଇଁ ୨ରୁ ୩ ଲକ୍ଷ ଖର୍ଚ୍ଚ
  • ରାଜ୍ୟ ସରକାର ୫ ବର୍ଷ ଭିତରେ ଚାଟାର୍ଡ ଫ୍ଲାଇଟରେ ୫୦ କୋଟି ୯୫ ଲକ୍ଷ ଖର୍ଚ୍ଚ କରିଛନ୍ତି
  • ହେଲିକପ୍ଟରରେ ୫୨ କୋଟି ୧୮ ଲକ୍ଷ ଖର୍ଚ୍ଚ କରିଛନ୍ତି

ସୂଚନାଯୋଗ୍ୟ ଯେ, ପାଣ୍ଡିଆନ ହେଲିକପ୍ଟରରେ ଉଡିବାରେ ପ୍ରାୟ ୫ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଅଭିଯୋଗ ହୋଇ ଆସୁଛି। ଆଉ ଏହାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।