ବଢ଼ିଲା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଆର୍ଥିକ ସହାୟତା ରାଶି । ହଷ୍ଟେଲରେ ରହି ପାଠପଢୁଥିବା ଦିବ୍ୟାଙ୍ଗ ପିଲାଙ୍କୁ ଏଣିକି ୧୨୦୦ ପରିବର୍ତ୍ତେ ମିଳିବ ୧୭୬୦ ଟଙ୍କା

ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନକୁ ଦିଆଯିବ ଅଧିକ ଅନୁଦାନ

220

କନକ ବ୍ୟୁରୋ: ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ରହିଥିବା ସ୍ୱତନ୍ତ୍ର ଶିକ୍ଷା ଅନୁଷ୍ଠାନ ଗୁଡିକର ରକ୍ଷଣାବେକ୍ଷଣ ବାବଦରେ ଖର୍ଚ୍ଚ ହେଉଥିବା ଅନୁଦାନ ରାଶିକୁ ବୃଦ୍ଧି କରିଛନ୍ତି ରାଜ୍ୟସରକାର । ଆସନ୍ତା ଆର୍ଥିକ ବର୍ଷରୁ ଏହି ବର୍ଦ୍ଧିତ ରାଶି ସ୍କୁଲଗୁଡିକରେ ଲାଗୁ କରାଯିବ । ପୁର୍ବରୁ ଏହି ସ୍କୁଲ ଗୁଡିକର ହଷ୍ଟେଲରେ ରହୁଥିବା ଛାତ୍ର ଛାତ୍ରୀଙ୍କୁ ମୁଣ୍ଡ ପିଛା ୧୨୦୦ ଟଙ୍କାର ଆର୍ଥିକ ସହାୟତା ମିଳୁଥିବା ବେଳେ ଆସନ୍ତା ଏପ୍ରିଲ ପହିଲାରୁ ୧୭୬୦ ଟଙ୍କା ପ୍ରଦାନ କରାଯିବ ।

ସେହିଭଳି ହଷ୍ଟେଲରେ ନରହି ବାହାରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ୨୫୦ ଟଙ୍କା ପରିବର୍ତ୍ତେ ୩୭୦ ଟଙ୍କା ପ୍ରଦାନ କରାଯିବ । ଏଥିସହ ଏହି ସ୍ୱତନ୍ତ୍ର ଶିକ୍ଷାଅନୁଷ୍ଠାନଗୁଡିକୁ ପ୍ରତି ତିନି ବର୍ଷରେ ଥରେ କ୍ରିଡା ଉପକରଣ କ୍ରୟ ନିମନ୍ତେ ୧୦ ହଜାର ଟଙ୍କା, ଫର୍ଣ୍ଣିଚର କ୍ରୟ ନିମନ୍ତେ ୧ଲକ୍ଷ ଟଙ୍କା, କମ୍ପ୍ୟୁଟର କ୍ରୟ ପାଇଁ ୫୦ ହଜାର ଟଙ୍କା ଓ ସ୍ୱତନ୍ତ୍ର ସଫ୍ଟଓୟାର ଉପକରଣ କ୍ରୟ ନିମନ୍ତେ ୬୦ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।