କରୋନା ମୁକାବିଲା ପାଇଁ କେନ୍ଦ୍ର ଆଗରେ ଦାବି ରଖିଲା ଓଡିଶା: ଅଧିକ କିଟ୍ ଓ ମେଡିକାଲ ଉପକରଣ ଯୋଗାଇଦେବାକୁ ଦାବି

ରାଜ୍ୟ ବାହାରେ ଫଶିଥିବା ଶ୍ରିମକଙ୍କ କଥା ବୁଝିବାକୁ ଅନୁରୋଧ

1,372

କନକ ବ୍ୟୁରୋ: କରୋନା ମୁକାବିଲା ନେଇ କେନ୍ଦ୍ର ଆଗରେ ଦାବି ରଖିଲେ ରାଜ୍ୟ ସରକାର । କରୋନା ପରୀକ୍ଷା ପାଇଁ ଅଧିକ କିଟ୍ ଯୋଗାଇ ଦେବାକୁ ଦାବି କରିଛନ୍ତି ମୁଖ୍ୟ ଶାସନ ସଚିବ । ଅଧିକ ପରିମାଣରେ ମେଡିକାଲ ଉପକରଣ ଯୋଗାଇ ଦେବାକୁ ଦାବି କରିଛନ୍ତି । ଏହା ସହିତ ରାଜ୍ୟ ବାହାରେ ଥିବା ଶ୍ରମିକଙ୍କୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ମୁଖ୍ୟ ସଚିବଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ।

କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ରାଜ୍ୟ ସରକାରଙ୍କ ଭିଡିଓ କନଫରେନ୍ସିଂ ଦ୍ୱାରା ଆଲୋଚନା ହୋଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନରଙ୍କ ସହ କେନ୍ଦ୍ର କ୍ୟାବିନେଟ ସଚିବ ଆଲୋଚନା କରିଛନ୍ତି । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନରଙ୍କ ସହ ପୁଲିସ୍ ଡିଜି, ପୁଲିସ କମିଶନର ଓ ବିଭାଗୀୟ ସଚିବ ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ପାଖରେ ଓଡିଶା ବିଭିନ୍ନ ଦାବି ରଖିଛି । କରୋନା ପାଇଁ ଅଧିକ ମାତ୍ରାରେ ଟେଷ୍ଟିଂ କିଟ୍ ଯୋଗାଇ ଦେବାକୁ ପ୍ରସ୍ତାବ ଦେବା ସହ ପ୍ରବାସୀ ଶ୍ରମିକଙ୍କ ରହିବା ଓ ଖାଇବା ନେଇ ଆଲୋଚନା କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ କିଭଳି ପ୍ରସ୍ତୁତ ରହିବ ବୈଠକରେ ଆଲୋଚନା ହୋଇଥିବା ନେଇ ସଚିବ ବିଶାଲ ଦେବ ସୂଚନା ଦେଇଛନ୍ତି । ସେହିପରି ଦିଲ୍ଲୀ ନିଜାମୁଦ୍ଦିନ୍ ପ୍ରସଙ୍ଗରେ ସଚିବ ବିଶାଲ୍ ଦେବ ପ୍ରତିିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ଯେ କ୍ୟାବିନେଟ୍ ସଚିବଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା ହୋଇଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜାଚାଲିଛି । ରାଜ୍ୟ ପୁଲିସ୍ ତତ୍ତ୍ୱାବଧାନରେ ଚିହ୍ନଟ ପ୍ରକ୍ରିୟା ଚାଲିଛି । ଚିହ୍ନଟଙ୍କୁ ତୁରନ୍ତ କ୍ୱାରେଣ୍ଟାଇନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।