ଯାଜପୁରର ନୂଆ ୪ ପଜିଟିଭଙ୍କ ପୂରା ତଥ୍ୟ ଦେଲେ ସରକାର । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ, ୩ ଜଣ ମହିଳା । ସମସ୍ତେ କୋଲକାତା ଫେରନ୍ତା ପୂର୍ବ ଆକ୍ରାନ୍ତଙ୍କ ପରିବାର ଲୋକ

3,656

କନକ ବ୍ୟୁରୋ: ଆସିଲା ୪ ଆକ୍ରାନ୍ତଙ୍କ ସବିଶେଷ ସୂଚନା । ଯାଜପୁର ଜିଲ୍ଲାର ନୂଆ ୪ ଆକ୍ରାନ୍ତଙ୍କ ପୂରା ତଥ୍ୟ ଦେଲେ ସରକାର । ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ଟୁଇଟ କରି ସ୍ପଷ୍ଟ କଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଜଣେ ଦଶରଥପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୩ ଜଣ ଯାଜପୁରର । ତେବେ ନୂଆ ୪ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ ଓ ୩ ଜଣ ମହିଳା । ସେମାନଙ୍କ ମଧ୍ୟରେ ୪୮ ବର୍ଷୀୟ ମହିଳା, ୭୦ ବର୍ଷୀୟ ବୃଦ୍ଧା, ୮୦ ବର୍ଷୀୟ ବୃଦ୍ଧା ଏବଂ ୨୧ ବର୍ଷୀୟ ଯୁବକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ୪ ଜଣ କୋଲକାତା ଫେରନ୍ତା ପୂର୍ବ ଆକ୍ରାନ୍ତଙ୍କ ପରିବାର ଲୋକ ବୋଲି ସୂଚନା ଦେଇଛନ୍ତି ସରକାର ।

ତେବେ ଯାଜପୁରରେ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ୪ ପଜିଟିଭ ବାହାରିବା ପରେ ବର୍ତ୍ତମାନ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଲା । ସେପଟେ ନୂଆ ପଜିଟିଭ ଚିହ୍ନଟ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ । ପୂର୍ବ ଆକ୍ରାନ୍ତଙ୍କ ସମ୍ପର୍କୀୟ ଏହି ନୂଆ ୪ ଆକ୍ରାନ୍ତ । ଗତ ୨୦ ତାରିଖରୁ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ନମୂନା ପରୀକ୍ଷା ପରେ ସେମାନଙ୍କର ପଜିଟିଭ ଆସିଛି ।

ସବୁଠାରୁ ବଡ କଥା ହେଉଛି ପଶ୍ଚିମବଙ୍ଗରୁ ପ୍ରାୟ ୬୦୦ରୁ ୭୦୦ ଲୋକ ଯାଜପୁର ଫେରିଛନ୍ତି । ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ଘରୋଇ କ୍ୱାରେଣ୍ଟାଇନ ମାନୁନଥିବାରୁ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛୁ । ବାହାରୁ ଆସୁଥିବା ଲୋକଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରଖୁଛୁ । ଗାଁ ଗାଁରେ କରୋନା ପ୍ରତିରୋଧ ସମିତି ଗଠନ କରିଛୁ । ଲୋକେ ସଚେତନ ଥିବାରୁ ବାହାରୁ ଆସୁଥିବା ବ୍ୟକ୍ତି ସଙ୍ଗେ ସଙ୍ଗେ ଠାବ ହେଉଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ଯାଜପୁର ଜିଲ୍ଲାପାଳ ।