ରାଜ୍ୟର ୫ ମହାନଗର ନିଗମରେ ଟିକାକରଣକୁ ସରକାରଙ୍କ ଗୁରୁତ୍ୱ । ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ ଟିକା 

313

କନକ ବ୍ୟୁରୋ: ରାଜ୍ୟରେ ବର୍ତମାନ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ତେବେ ବର୍ତମାନ ରାଜ୍ୟର ୫ ମହାନଗର ନିଗମରେ ଟିକାକରଣ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ଭୁବନେଶ୍ୱର, କଟକ, ସଂବଲପୁର, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମରେ ବର୍ତମାନ ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ନାମା ଜାରି କରିଛନ୍ତି ସରକାର । ଏହି ୫ ମହାନଗର ନିଗମରେ କରୋନା ସଂକ୍ରମଣ ଅଧିକ ରହୁଥିବାରୁ , ବର୍ତମାନ ଟିକାକରଣକୁ ଏଠାରେ ଅଧିକ ଗୁରୁତ୍ୱ ଦିଆଯାଇଥିବା କୁହାଯାଇଛି ।

ଟିକା ଯୋଗାଣ ବର୍ତମାନ କମ୍ ରହିଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତି ନେଇଥିବା କହିଛନ୍ତି । ଆଗକୁ ରାଜ୍ୟକୁ ଟିକା ଯୋଗାଣ ପରିମାଣ ବଢିଲେ, ଅନ୍ୟ ଜିଲ୍ଲା ଗୁଡିକରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ ଚାଲିବ । ବର୍ତମାନ ଏହି ୫ ମହାନଗର ନିଗମରେ ୧୮ରୁ ୪୪ ବର୍ଷ ବୟସ୍କ ସକାଳ ୮ଟାରୁ ଦିନ ୧ଟା ଯାଏଁ ଟିକା ନେଇପାରିବେ । ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏଁ ଚାଲିବ । ତେବେ ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତି ଘରୋଇ ହସ୍ପିଟାଲରେ ମଧ୍ୟ ଟିକା ନେଇପାରିବେ ବୋଲି ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି । ଟିକା ନେବାକୁ ହେଲେ ଘରୋଇ ଡାକ୍ତରଖାନାରେ ପଞ୍ଜିକରଣ କରିବାକୁ ପଡିବ ।