ସଂକ୍ରମଣ ବଢୁଥିବାବେଳେ ପୁଣି ଫୋକସରେ ପୁରୀ । ରେଳଷ୍ଟେସନରେ କଡାକଡି ହେଲା ଚେକିଂ । ସେପଟେ, ବ୍ରହ୍ମପୁରରେ ଟିକା ବନ୍ଦ ନେଇ ଲାଗିଲା ନୋଟିସ ।

121

କନକ ବ୍ୟୁରୋ: ସଂକ୍ରମଣ ବଢୁଥିବାବେଳେ ଏବେ ପୁଣି ଫୋକସକୁ ଆସିଛି ପୁରୀ । ପୁରୀ ରେଳଷ୍ଟେସନରେ ଯାତ୍ରୀମାନେ ପହଂଚିବା ପରେ ସେମାନଙ୍କର ଯାଂଚ ହେଉଛି । ଯେଉଁମାନେ ଅଧିକ ସଂକ୍ରମିତ ରାଜ୍ୟରୁ ଆସିଛନ୍ତି ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଉଛି । ଖାଲି ସେତିକି ନୁହେଁ, ମାସ୍କ ବ୍ୟବହାରକୁ କଡାକଡି କରିବା ସହିତ ଖିଲାପକାରୀଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରିବାକୁ ଅଂଟା ଭିଡିଛି ପ୍ରଶାସନ ।

୫ ସର୍ବାଧିକ ସଂକ୍ରମିତ ରାଜ୍ୟରୁ ଆସିଲେ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତା ମୂଳକ କରାଯାଇଛି । ମଧ୍ୟପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର , କେରଳ ଓ ପଂଜାବରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି କଟକଣା ଲାଗୁ ହୋଇଛି । ସେହିପରି ୭୨ ଘଂଟା ମଧ୍ୟରେ କୋଭିଡ ଟେଷ୍ଟ କରି ରିପୋର୍ଟ ନେଗେଟିଭ ନଥିଲେ ୭ଦିନ ସଂଗରୋଧରେ ରହିବାକୁ କୁହାଯାଇଛି ।

  • ବ୍ରହ୍ମପୁରରେ ଟିକା ବନ୍ଦ ନେଇ ଲାଗିଲା ନୋଟିସ
  • ପୁଣି କେବେ ଆରମ୍ଭ ହେବ ଟିକାକରଣ?

କରୋନା ସଂକ୍ରମଣର ମୁକାବିଲା କରିବାରେ ଏକମାତ୍ର ଉପାୟ ଟିକାକରଣ ହୋଇଥିବା ବେଳେ ରାଜ୍ୟରେ କରୋନା ଟିକାର ଘୋର ଅଭାବ ଦେଖାଦେଇଛି । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୋଟିସ ଲଗାଇ ସୋମବାର, ମଙ୍ଗଳବାର ଏବଂ ବୁଧବାର ଟିକାଦାନ ବନ୍ଦ ରହିବା ନେଇ ସୂଚନା ଦିଆଯାଇଛି । ଆବଶ୍ୟକ ଟିକା ନ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଗୁରୁବାର ଠାରୁ ପୁଣି ଟିକାଦାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ବର୍ତମାନ ୩ଲକ୍ଷ ୪୭ ହଜାର କୋଭିସିଲଡ ଚିକା ମହଜୁଦ ଅଛି ଯାହାକି ମାତ୍ର ୨ଦିନରେ ସରିଯିବ । ଆଉ ଯେତିକି ଟିକା ଆସୁଛି ତାହା ୩ଦିନରେ ସରିଯିବ । ତେଣୁ ଅଧିକ ଟିକା ଆସିବା ଏବେ ଜରୁରୀ ହୋଇପଡିଛି ।

ସେହିପରି ରାଜ୍ୟରେ ବଢୁଥିବା ପରିସଂଖ୍ୟାନ ଉଦବେଗନଜକ ନୁହେଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର । ଜାତୀୟ ହାର ତୁଳନାରେ ରାଜ୍ୟର ସ୍ଥିତି ଭଲ ଅଛି । ତେବେ ଘରୋଇ ହସ୍ପିଟାଲକୁ ପ୍ରସ୍ତୁତ ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଗଞ୍ଜାମ ଜିଲ୍ଲାରେ ପ୍ରବାସୀ ଓଡିଆଙ୍କ ଉପରେ ନଜର ରଖାଯାଇଛି । କାରଣ ଗତବର୍ଷ ପ୍ରବାସୀ ଓଡିଆମାନେ ଫେରିବା ପରେ ରାଜ୍ୟରେ ବିସ୍ଫୋରକ ସ୍ଥିତିରେ ପହଂଚିଥିଲା କରୋନା ସଂକ୍ରମଣ । ସେଥିପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଜିଲ୍ଲାରେ ଦଣ୍ଡନାଚ, ତାରାତାରିଣୀ ଯାତ୍ରା, ବୁଢୀ ଠାକୁରାଣୀ ଯାତ୍ରା ଲାଗି କଟକଣା ଲାଗିଛି । ପ୍ରବାସୀ ଓଡିଆମାନେ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ପ୍ରବାସୀ ଓଡିଆଙ୍କ ଆଂଟିଜେନ ନେଗେଟିଭ ରିପୋର୍ଟ ବାଧ୍ୟତା ମୂଳକ କରାଯାଇଛି ।