ନିର୍ବାଚନ ପୂର୍ବରୁ ସରକାରଙ୍କ ଉପହାର ପେଡି । ୯ ଦିନ ହେଲା ବିଭିନ୍ନ ଯୋଜନାରେ ଘୋଷଣା ହେଉଛି ଆର୍ଥିକ ସହାୟତା । ନିର୍ବାଚନୀ ଚାଲ କହି କଟାକ୍ଷ କଲେ ବିରୋଧୀ ।

3,436

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଭିନ୍ନ ବର୍ଗଙ୍କ ପାଇଁ ଉପହାରର ପେଡି ଖୋଲି ଦେଇଛନ୍ତି ରାଜ୍ୟ ସରକାର । ଶେଷ ୯ଦିନ ହେଲା ଗୋଟିଏ ଗୋଟିଏ ପରେ ଗୋଟିଏ ୧୦ରୁ ଅଧିକ ବର୍ଗଙ୍କ ପାଇଁ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ଘୋଷଣା ପରେ ଆରମ୍ଭ ହୋଇଯାଇଛି ରାଜନୈତିକ ଆଲୋଚନା । ନିର୍ବାଚନ ଉପରେ ସରକାରଙ୍କ ଘୋଷଣାର ପ୍ରଭାବ କଣ ପଡିବ ସେନେଇ ଚର୍ଚ୍ଚା ଜୋର ଧରିଛି ।

  • ଫେବ୍ରୁଆରୀ ୧୦ – ମଧୁବାବୁ ଭତ୍ତା ବୃଦ୍ଧି
  • ଫେବ୍ରୁଆରୀ ୧୧ – କେନ୍ଦୁପତ୍ର ତୋଳାଳିଙ୍କ ବୋନସ ବୃଦ୍ଧି
  • ଫେବ୍ରୁଆରୀ ୧୨ – ଯୁବବର୍ଗଙ୍କୁ ଲକ୍ଷେ ଟଙ୍କା ଋଣ
  • ଫେବ୍ରୁଆରୀ ୧୩ – ମମତା ଯୋଜନା ସହାୟତା ରାଶି ବୃଦ୍ଧି
  • ଫେବ୍ର୍ରୁଆରୀ ୧୪ – କଳାକାର ଭତ୍ତା ବୃଦ୍ଧି
  • ଫେବ୍ରୁଆରୀ ୧୫ – ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଭତ୍ତା ଦୁଇଗୁଣ
  • ଫେବ୍ରୁଆରୀ ୧୬ – ମିଶନ ଶକ୍ତି ମହିଳାଙ୍କୁ ୟୁନିଫର୍ମ ଟଙ୍କା
  • ଫେବ୍ରୁଆରୀ ୧୭ – ପାଚିକାଙ୍କ ପାରିଶ୍ରମିକ ବୃଦ୍ଧି
  • ଫେବ୍ରୁଆରୀ ୧୮ – ମାଟ୍ରନଙ୍କ ପାରିଶ୍ରମିକ ବୃଦ୍ଧି

ଗତ ୯ଦିନ ଭିତରେ ଏହି ସବୁ ନିଷ୍ପତି ସହ ଆହୁରି ଅନେକ ଘୋଷଣା କରିଛନ୍ତି ରାଜ୍ୟ ସରକାର । ବିଶେଷକରି ମହିଳା, ବୟସ୍କ, ଯୁବବର୍ଗଙ୍କ ପାଇଁ ହାତ ଖୋଲି ଦେଇଛନ୍ତି ରାଜ୍ୟ ସରକାର । ଏମିତି ଗୋଟିଏ ଦିନ ନାହିଁ ଯେଉଁଦିନ କୌଣସି ନା କୌଣସି ବର୍ଗ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଘୋଷଣା କରିନାହାନ୍ତି । ତେବେ ନିର୍ବାଚନ ପୂର୍ବରୁ ଏହି ସବୁ ଘୋଷଣା ଆଗାମୀ ନିର୍ବାଚନକୁ କେତେ ପ୍ରଭାବିତ କରିବ ସେ ନେଇ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା ।

ନିର୍ବାଚନ ପୂର୍ବରୁ ଗୋଟିଏ ପରେ ଗୋଟିଏ ଘୋଷଣା କରି ଲୋକଙ୍କ ମନ ଜିଣିବାକୁ ରାଜ୍ୟ ସରକାର ଉଦ୍ୟମ କରୁଥିବାବେଳେ ନିର୍ବାଚନୀ ଚାଲ କହି କଟାକ୍ଷ କରିଛି ବିରୋଧୀ । ୨୪ ବର୍ଷ ପରେ ରାଜ୍ୟ ସରକାରଙ୍କର ଲୋକଙ୍କ କଥା କାହିଁକି ମନେ ପଡିଲା ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ତେବେ ବିଜେଡି ବିଧାୟକ କହିଛନ୍ତି, ରାଜ୍ୟର ସ୍ୱାର୍ଥ ପାଇଁ ସବୁବେଳେ ମୁଖ୍ୟମନ୍ତ୍ରୀ ଚେଷ୍ଟା କରିଥାନ୍ତି । ଏହା କୌଣସି ନିର୍ବାଚନୀ ଥୋପ ନୁହେଁ ।

ନିର୍ବାଚନ ତାରିଖ ଘୋଷଣା ଆଉ ଅଳ୍ପ ଦିନ ବାକି ଅଛି । ତାରିଖ ଘୋଷଣା ପରେ ନିର୍ବାଚନ ମଇଦାନରେ ଆରମ୍ଭ ହେବ ଅସଲ ଲଢ଼େଇ । ତେବେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜ୍ୟ ସରକାରଙ୍କ ଏହି ଘୋଷଣା ଶାସକ ଦଳକୁ କେତେ ଫାଇଦା ଦେବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।