କନକ ବ୍ୟୁରୋ : ୩ ମହାନଗର ନିଗମରେ ମେୟର ପଦବୀ ପାଇଁ ଚୂଡାନ୍ତ ହୋଇଛି ସଂରକ୍ଷଣ । ଏଥିପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଭୁବନେଶ୍ୱର, ବ୍ରହ୍ମପୁର ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି କଟକ ମେୟର ପଦ ପାଇଁ ଅଣସଂରକ୍ଷିତ ରହିଛି ସିଟ୍ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ସଂରକ୍ଷଣ ତାଲିକା ଦିଆଯାଇଛି ।

Advertisment

ଚୂଡ଼ାନ୍ତ ସିଟ୍ ସରଂକ୍ଷଣ ସହ ସୀମା ନିର୍ଦ୍ଧାରଣ ତାଲିକା ମଧ୍ୟ ପ୍ରକାଶ ପାଇଛି । ବ୍ରହ୍ମପୁରର ମୋଟ୍ ୪୨ଟି ୱାର୍ଡ଼ରୁ ୨୩ଟି ୱାର୍ଡ଼ ସଂରକ୍ଷିତ ରହିଛି । ୫ଟି ଆସନ ଏସସି, ଏସଟିଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୧୮ଟି ସାଧାରଣ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏଥି ମଧ୍ୟରୁ ୨ଟି ଏସସି ମହିଳା, ଗୋଟିଏ ଏସଟି ମହିଳାଙ୍କ ପାଇଁ ଆସନ ସଂରକ୍ଷିତ ରଖାଯାଇଛି । ଭୁବନେଶ୍ୱରର ୬୭ଟି ୱାର୍ଡ଼ରୁ ୩୮ଟି ୱାର୍ଡ଼ ସଂରକ୍ଷିତ ରଖାଯାଇଛି । ୨୮ ୱାର୍ଡ ସାଧାରଣ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷଣ ଥିବା ବେଳେ ୧୦ଟି ଏସସି, ଏସଟିଙ୍କ ପାଇଁ ସଂରକ୍ଷିତ ରହିଛି ।

ସେଥିମଧ୍ୟରୁ ଏସସି ମହିଳାଙ୍କ ପାଇଁ ତିନିଟି ଓ ଏସଟି ମହିଳାଙ୍କ ପାଇଁ ଦୁଇଟି ଆସନ ସଂରକ୍ଷିତ ରହିଛି । ସେହିପରି କଟକରେ ମୋଟ୍ ୫୯ ୱାର୍ଡ଼ରୁ ୩୩ଟି ୱାର୍ଡ଼ ସଂରକ୍ଷିତ ରଖାଯାଇଛି । ସିଏମସିରେ ମଧ୍ୟ ସାଧାରଣ ବର୍ଗ ମହିଳାଙ୍କ ପାଇଁ ୨୫ଟି ଓ ଏସସି, ଏସଟି ବର୍ଗଙ୍କ ପାଇଁ ୮ଟି ଆସନ ସଂରକ୍ଷିତ ରହିଛି । ସେଥି ମଧ୍ୟରୁ ୪ଟି ଏସସି ମହିଳା ଓ ଗୋଟିଏ ଏସଟି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ।