ବଢିଲା ଗାଡି କାଗଜପତ୍ର ବୈଧତା : କୋଭିଡ ସ୍ଥିତି ପାଇଁ ୩୧ ମାର୍ଚ୍ଚ ଯାଏ ବଢିଲା ଡିଏଲ, ଆରସି, ଫିଟନେସ୍ ସାର୍ଟିଫିକେଟର ବୈଧତା

ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି; ପୂର୍ବରୁ ଡିସେମ୍ବର ୩୧ ଯାଏଁ ବଢ଼ା ଯାଇଥିଲା ଅବଧି

177

କନକ ବ୍ୟୁରୋ : ଆସନ୍ତା ମାର୍ଚ ୩୧ ତାରିଖ ଯାଏଁ ବଢିଲା ଗାଡ଼ିର ଡ୍ରାଇଭିଂ ଲାଇସନ୍ସ, ଆରସି, ଫିଟନେସ୍ କାଗଜପତ୍ରର ବୈଧତା । ଏନେଇ ରାଜ୍ୟ ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି ହୋଇଛି । କରୋନା କଟକଣା କାରଣରୁ ଗତ ମାର୍ଚ ୧୮ ତାରିଖ ପର ଠାରୁ ଚୂଡାନ୍ତ ଡ୍ରାଇଭିଂ ଲାଇସନ୍ସ ପାଇଁ ସ୍ଲଟ୍ ବୁକିଂ ବାତିଲ ହୋଇ ଯାଇଥିଲା ।

କରୋନା କଟକଣା କାଳରେ ଆରଟିଓ ଅଫିସରେ ସୀମିତ ସଂଖ୍ୟକ ଡ୍ରାଇଭିଂ ଟେଷ୍ଟ ପାଇଁ ସ୍ଲଟ୍ ମିଳୁଥିବାରୁ ଅନେକ ଗାଡି ଚାଳକ ଲର୍ଣ୍ଣିଂ ଲାଇସନ୍ସ ପାଇଥିଲେ ମଧ୍ୟ ଅନଲାଇନରେ ଫାଇନାଲ ଡ୍ରାଇଭିଂ ଲାଇସନ୍ସ ପାଇଁ ଆବେଦନରୁ ବଂଚିତ ରହିଥିଲେ । ସାରଥୀ ଆପ୍ରେ ସ୍ଲଟ୍ ବି ମିଳୁନଥିଲା । ଏସବୁକୁ ନଜରରେ ରଖି ରାଜ୍ୟ ସଡକ ପରିବହନ ବିଭାଗ ପକ୍ଷରୁ ଗାଡି ଗୁଡିକର ଡିଏଲ୍, ଆରସି, ଫିଟନେସ୍ ସାର୍ଟିଫିକେଟ ଓ ଅନ୍ୟ କିଛି କାଗଜପତ୍ରର ବୈଧତାକୁ ଆଉ ୩ ମାସ ପାଇଁ ଅର୍ଥାତ ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି କରାଯାଇଥିବା କୁହାଯାଇଛି ।

ରାଜ୍ୟ ପରିବହନ ବିଭାଗର ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁ ସବୁ ଗାଡ଼ି କାଗଜପତ୍ରର ସମୟସୀମା ୨୦୨୦ ଫେବ୍ରୁଆରୀରେ ସରିଯାଇଛି ବା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ସରୁଛି, ତା’ଉପରେ ଏହି ନିୟମ ଲାଗୁ ହେବ । ଯେଉର୍ଁ ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ସମୟ ସୀମା ଡିସେମ୍ବର ୩୧, ୨୦୨୦ ଭିତରେ ସରୁଛି, ସେମାନେ ଏହାକୁ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୧ ମାର୍ଚ୍ଚ ୩୧ ଯାଏଁ ବ୍ୟବହାର କରିପାରିବେ । ଏହି ସମୟ ମଧ୍ୟରେ ସେମାନେ ଡ୍ରାଇଭିଂ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିପାରିବେ । ଗାଡି ଚାଳକଙ୍କ ସମସ୍ୟାକୁ ନଜରରେ ରଖି ଜନହିତରେ ଏପରି ନିଷ୍ପତି ନିଆଯାଇଥିବା କୁହାଯାଇଛି ।