ଶିକ୍ଷକଙ୍କ ବଦଳି ପାଇଁ ଜିଲ୍ଲାପାଳଙ୍କୁ ବିଧାୟକ କରିବେ ସୁପାରିଶ । ଗଣଶିକ୍ଷା ବିଭାଗ ଜାରି କଲା ବିଜ୍ଞପ୍ତି ।

152

କନକ ବ୍ୟୁରୋ : ଶିକ୍ଷକଙ୍କ ବଦଳି ପାଇଁ ଜିଲ୍ଲାପାଳଙ୍କୁ ସୁପାରିଶ କରିପାରିବେ ବିଧାୟକ । ଜଣେ ବିଧାୟକ ସର୍ବମୋଟ ଜରୁରୀ ଆବଶ୍ୟକ ଥିବା ୧୦ ଜଣ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିପାରିବେ । ତେବେ ଗଣଶିକ୍ଷା ବିଭାଗର ଏହି ନିଷ୍ପତି ଆରମ୍ଭରୁ ବିବାଦୀୟ ହୋଇପଡିଛି । ବିରୋଧୀ କହିଛନ୍ତି ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ସରକାର ଏପରି ଚାଲ ଖେଳିଛନ୍ତି ।

ଏଣିକି ଶିକ୍ଷକଙ୍କ ବଦଳି ପାଇଁ ଜିଲ୍ଲାପାଳଙ୍କୁ ସୁପାରିସ କରିବେ ସ୍ଥାନୀୟ ବିଧାୟକ । ଅର୍ଥାତ୍ ଆଗରୁ ଅନଲାଇନରେ ବଦଳି ପାଇଁ ଶିକ୍ଷକମାନେ ଆବେଦନ କରୁଥିଲେ, କିନ୍ତୁ ଚଳିତ ଶିକ୍ଷାବର୍ଷରେ ୧୦ ଜଣ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିପାରିବେ ବିଧାୟକ । ତେବେ ଗଣଶିକ୍ଷା ବିଭାଗର ଏପରି ନିଷ୍ପତ୍ତି ପଛରେ ଥିବା ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଅଭିଯୋଗ କରିଛନ୍ତି, ଆଗକୁ ପଂଚାୟତ ଏବଂ ପୌର ନିର୍ବାଚନ ଥିବାରୁ ଏଭଳି ଚାଲ କରିଛନ୍ତି ସରକାର ।

ଏପଟେ ଶାସକ ଦଳର ବିଧାୟକ ନିଷ୍ପତ୍ତି ସପକ୍ଷରେ ମତ ରଖିଛନ୍ତି । ସ୍ଥାନୀୟ ସ୍କୁଲରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ଶୀଘ୍ର ହୋଇପାରିବ ବୋଲି କହିଛନ୍ତି ବିଧାୟକ ଅନନ୍ତ ଜେନା । ସେପଟେ ଓଷ୍ଟା କହିଛି, ବଦଳି ପ୍ରକ୍ରିୟା ସ୍ଥାନୀୟ ବିଧାୟକ ଉଦ୍ଦେଶ୍ୟମୂଳକ ଭାବେ ନକରିବା ଆବଶ୍ୟକ ।