କନକ ବ୍ୟୁରୋ: ମହାନଦୀ ପାଣି ନେଇ ଜଳ କର ଦେଉନଥିବା ଶିଳ୍ପାନୁଷ୍ଠାନ ଏଥର ଆଉ ବର୍ତ୍ତିପାରିବେନି । ବର୍ଷ ବର୍ଷ ଧରି ବାକି ରଖିଥିବା ଜଳ କର ଦେବାକୁ ବାଧ୍ୟ ହେବେ, ନଚେତ୍ କଡା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଏ ଦିଗରେ ତତ୍ପର ହୋଇଛନ୍ତି ମୋହନ ସରକାର।
- ଜଳକର ବାକି ରଖିଥିବା ଶିଳ୍ପାନୁଷ୍ଠାନ ପାଇଁ ବଢ଼ିଲା ଅଡୁଆ
- ଜଳକର ଆଦାୟ ପାଇଁ ବିଭାଗକୁ ନିର୍ଦ୍ଦେଶ
ମହାନଦୀରୁ ପାଣି ନେଇ ବର୍ଷ ବର୍ଷ ଧରି କିଛି କମ୍ପାନୀ ଜଳକର ଦେଉନାହାନ୍ତି। ଜଳକର ବାବଦକୁ କୋଟି କୋଟି ଟଙ୍କା ବାକି ରଖି ନିଜ ତହବିଲ ବଢ଼ାଇ ଚାଲିଛନ୍ତି। କିନ୍ତୁ ଜଳ କର ଆଦାୟ ପାଇଁ ପୂର୍ବ ସରକାର ସେମିତି କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନେଇନଥିଲେ। ଏନେଇ କନକ ନ୍ୟୁଜ୍ ତଥ୍ୟ ସହ ଖବର ପ୍ରସାରଣ କରିଥିଲା । ଆଉ ଖବର ପ୍ରସାରଣ ପରେ ମୋହନ ସରକାର ଏହାକୁ ଅତି ଗୁରୁତର ସହ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କେଉଁ କମ୍ପାନର କେତେ ଜଳକର ବକେୟା ରହିଛି ? ତାର ତଦନ୍ତ ଆରମ୍ଭ କରିଛନ୍ତି । ଏଥିସହ ଜଳକର ଆଦାୟ ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ମହାନଦୀରୁ ପାଣି ନେଇ କିଛି ଶିଳ୍ପାନୁଷ୍ଠାନ ଗତ ୨୫ ବର୍ଷ ଧରି ଶହ ଶହ କୋଟି ଟଙ୍କାର ଜଳ କର ଫାଙ୍କି ଆସୁଛନ୍ତି। । ବଡ ବଡ କମ୍ପାନୀ କର୍ତ୍ତୃପକ୍ଷ ଓ ତତ୍କାଳୀନ ସରକାରଙ୍କ ମଧ୍ୟରେ ଅସାଧୁ ବୁଝାମଣା ଯୋଗୁଁ ଏହା ସମ୍ଭବ ହୋଇଛି ଏବଂ କମ୍ପାନୀମାନେ କୋଟି କୋଟି ଟଙ୍କା ଠକି ଚାଲିଥିଲେ ବୋଲି କୁହାଯାଉଛି। ତେବେ ନଜର ପକାନ୍ତୁ, କେଉଁ କମ୍ପାନୀ ଉପରେ ବାକି ପଡିଛି କେତେ ଜଳକର?
- ଶ୍ୟାମ୍ ମେଟାଲିକ୍ ୨୯୧ କୋଟି
- ଭୂଷଣ ୨୦୮ କୋଟି
- ବିରାଜ ଷ୍ଟିଲ ୮୪ କୋଟି
- ଏନଏଲସି ୧୩ କୋଟି
- ଆକ୍ସନ ଇସ୍ପାତ ୪କୋଟି ୫୦ ଲକ୍ଷ
- ଲୀଲରୀ ଫୋର କାଷ୍ଟ ୫୨ ଲକ୍ଷ
- ପିଏଚଡି ସମ୍ୱଲପୁର ୧୮୫ କୋଟି
୨ ବର୍ଷ ତଳେ ଓଟିଏସ ବା ୱାନ ଟାଇମ ସେଟେଲମେଣ୍ଟ କରିବାକୁ ତତ୍କାଳୀନ ସରକାର ଚିନ୍ତା କରିଥିଲେ । କିନ୍ତୁ ତାହା ସରକାରୀ ନାଲିଫିତା ତଳେ ଚାପି ହୋଇ ରହିଯାଇଥିଲା। କିନ୍ତୁ ସରକାର ବଦଳିବା ପରେ ଆଶା କରାଯାଉଛି ଲାଭଖୋର ଶିଳ୍ପାନୁଷ୍ଠାନମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ସହ ବାକି ଟଙ୍କା ଆଦାୟ ହେବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/08/2-19.jpg)