କନକ ବ୍ୟୁରୋ : ଦୁର୍ନୀତି କରି ବିଦା ହୋଇଛନ୍ତି ଆଇଏଏସ ବିନୋଦ କୁମାର । ପ୍ରଥମ ଥର ପାଇଁ ଜଣେ ଆଇଏଏସ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି ରାଜ୍ୟ ସରକାର । ମହାବାତ୍ୟା ପରେ ରାଜ୍ୟରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଯୋଜନାରେ ହେରଫେର କରି ୩୩ କୋଟି ଟଙ୍କା ଦୁର୍ନୀତି କରାଯାଇଥିବା ଅଭିଯୋଗ ଆସିଥିଲା । ଏହି ମାମଲାରେ ଭିଜିଲାନ୍ସ ଆଇଏଏସ ବିନୋଦ କୁମାରଙ୍କ ନାଁରେ ୨୭ଟି ମାମଲା ରୁଜୁ କରିଥିଲା ଭିଜିଲାନ୍ସ । ଦୀର୍ଘବର୍ଷ ଧରି ଚାଲିଥିବା ଆଇନଗତ ଲଢେଇ ଭିତରେ ଆଜି ବିନୋଦ କୁମାରଙ୍କ ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ହୋଇଛି ।
ଚାକିରୀରୁ ବିଦା ହେଲେ ଆଇଏଏସ ବିନୋଦ କୁମାର । ଦୁର୍ନୀତି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ । ଓଡ଼ିଶା ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲଉଥିବା ବେଳେ କରିଥିବା ଦୁର୍ନୀତି ମହଙ୍ଗା ପଡିଛି ବରିଷ୍ଠ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କୁ । ଦୀର୍ଘବର୍ଷ ଧରି ଚାଲିଥିବା ଆଇନଗତ ଲଢେଇ ଭିତରେ ଆଜି ହୋଇଛି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ । ରାଜ୍ୟରେ ପ୍ରଥମଥର ପାଇଁ ଜଣେ ଆଇଏଏସଙ୍କୁ ଚାକିରୀରୁ ବିଦା କରାଯାଇଛି । ରାଜ୍ୟ ସରକାର କରିଥିବା ସୁପାରିଶ ଉପରେ କେନ୍ଦ୍ରର ମୋହର ବାଜିଛି ।
ମହାବାତ୍ୟା ପରେ ପରେ ରାଜ୍ୟରେ ହୋଇଥିବା ସବୁଠାରୁ ବଡ ଦୁର୍ନୀତିର ବିବାଦୀୟ ଅଧିକାରୀ ହେଉଛନ୍ତି ବିନୋଦ କୁମାର । ଏକାଧିକ ନକଲି ଫାର୍ମ ଓ ବ୍ୟକ୍ତିଙ୍କ ପ୍ରତି ଅନୁଚିତ ଅନୁଗ୍ରହ ଦେଖାଇବା ଫଳରେ ରାଜକୋଷକୁ ବିପୁଳ କ୍ଷତି ପହଞ୍ଚିଥିଲା ।
୩୩ କୋଟି ଟଙ୍କାର ଦୁର୍ନୀତି । ୨୭ଟି ମାମଲା ଚାଲିଥିଲା ବିନୋଦଙ୍କ ବିରୋଧରେ । ମହାବାତ୍ୟା ପରେ ପରେ ରାଜ୍ୟରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଯୋଜନା ହୋଇଥିଲା । ଏଥିରେ ନୋଡାଲ ଏଜେନ୍ସି ଭାବେ ହୁଡକୋ ଦାୟିତ୍ୱ ପାଇଥିଲା । ହୁଡକୋ ସହ ଏକ ରାଜିନାମା କରି କାର୍ଯ୍ୟକୁ ଆଗକୁ ବଢାଉଥିଲା ଓଆରଏଚଡିସି । ହେଲେ ଏହା ପରେ ଆରମ୍ଭ ହୋଇଥିଲା ଅସଲ କାରସାଦି । ହେରଫେର କରି ନକଲି ଫାର୍ମ ଓ ବ୍ୟକ୍ତିଙ୍କୁ କାମ ଦିଆଯାଇଥିଲା । ଏନଜିଓ ଗ୍ରାମ୍ୟ ବିକାଶ ମଞ୍ଚକୁ ଅନୁକମ୍ପା ଦେଖାଇଥିଲେ ଏହି ଅଧିକାରୀ ।
୧୯୮୯ ବ୍ୟାଚର ଆଇଏଏସ ଅଧିକାରୀ ୨୦୦୧ରେ ବିବାଦ ଘେରକୁ ଆସିଥିଲେ । ଯେଉଁଠି କିଛି ବ୍ୟକ୍ତି ଓ ଅନୁଷ୍ଠାନକୁ ଅନୁକମ୍ପା ଦେଖାଇଥିବା ଅଭିଯୋଗ ତାଙ୍କ ବିରୋଧରେ ଆସିଥିଲା । ସେତେବେଳେ ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିଲା ।
ବିନୋଦ କୁମାରଙ୍କ ମଧ୍ୟରେ ଥିବା ୨୭ଟି ମାମଲା ମଧ୍ୟରୁ ୨୬ଟି ମାମଲାରେ ଭିଜିଲାନ୍ସ ପକ୍ଷରୁ ଚାର୍ଜସିଟ୍ ଦାଖଲ ହୋଇସାରିଛି । ଗୋଟିଏ ମାମଲାରେ ଏବେ ମଧ୍ୟ ତଦନ୍ତ ଜାରି ରହିଛି । ବଡ କଥା ହେଉଛି, ୨ଟି ମାମଲାରେ ବିନୋଦଙ୍କ ବିରୋଧରେ ଦଣ୍ଡବିଧାନ ମଧ୍ୟ ହୋଇସାରିଛି । ପଦବୀର ଅପବ୍ୟବହାର କରି ଅନୁକମ୍ପା ଦେଖାଇବା, ଅପରାଧିକ କାର୍ଯ୍ୟକଳାପ, ନକଲି କାରବାର କରିବା, ଠକେଇ, ଅପରାଧିକ ଷଡଯନ୍ତ୍ର କରି ୧ କୋଟି ୬୮ ଲକ୍ଷ ଟଙ୍କା ଦେବା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ୩ ବର୍ଷ ଜେଲଦଣ୍ଡ ସହ ଜରିମାନା ଲାଗିଥିଲା । ଆଉ ଏବେ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି ଦେଖାଇ ରାଜ୍ୟ ସରକାର ବିନୋଦ କୁମାରଙ୍କୁ ଚାକିରୀରୁ ବହିଷ୍କୃତ କରିଛନ୍ତି ।