ମାଟ୍ରିକ୍ ପରୀକ୍ଷାକୁ ବାତିଲ କଲେ ସରକାର । ସିବିଏସଇ ଢ଼ାଂଚାରେ ପ୍ରକାଶ ପାଇବ ରେଜଲ୍ଟ । ଚାରିଟି ପ୍ରି-ବୋର୍ଡ ପରୀକ୍ଷା ଆଧାରରେ ହୋଇପାରେ ମୂଲ୍ୟାୟନ ।

232

କନକ ବ୍ୟୁରୋ: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ମାଟ୍ରିକ ପରୀକ୍ଷା ବାତିଲ କରିବା ଭଳି ବଡ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ତେବେ ପରୀକ୍ଷାଫଳ ପ୍ରକାଶ ପାଇବ । ଗଣଶିକ୍ଷା ମନ୍ତ୍ରୀ ପ୍ରେସମିଟ କରି କହିଛନ୍ତି ବୋର୍ଡ଼ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଅନୁସାରେ ଛାତ୍ରଛାତ୍ରୀ ମାନଙ୍କର ପରୀକ୍ଷା ଫଳ ପ୍ରକାଶ ପାଇବ । ଏହାକୁ ଆଧାର କରି ଯୁକ୍ତ ଦୁଇରେ ଆଡମିଶନ ହେବ । ସିବିଏସଇ ଢାଂଚାରେ ନିଷ୍ପତି ନେଇ ସରକାର କହିଛନ୍ତି, ବିନା ପରୀକ୍ଷାରେ ପ୍ରକାଶ ପାଇବାକୁ ଥିବା ରେଜଲ୍ଟରେ ଯଦି କେହି ଅସନ୍ତୁଷ୍ଟ ପ୍ରକାଶ କରନ୍ତି ତେବେ ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ପରୀକ୍ଷା ଦେବାର ସୁଯୋଗ ଦିଆଯିବ ।

ତେବେ ମାଟ୍ରିକ ପରୀକ୍ଷାକୁ ତ ସରକାର ବାତିଲ କରିଦେଇଛନ୍ତି । ହେଲେ ମୂଲ୍ୟାୟନ କିଭଳି ହେବ ଓ ସେମାନେ କିଭଳି ମାର୍କ ପାଇବେ ତାକୁ ନେଇ ବଡ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏ ନେଇ କାହା ପାଖରେ ବି କିଛି ସନ୍ତୋଷଜନକ ଉତ୍ତର ନାହିଁ । ପୂର୍ବରୁ ଛାତ୍ରଛାତୀମାନଙ୍କ ପାଇଁ ଶହେ ଦିନିଆ ପାଠ୍ୟକ୍ରମ ହୋଇଥିଲା । ଏହାରି ଭିତରେ ୪ଟି ପ୍ରି-ବୋର୍ଡ ପରୀକ୍ଷା ସ୍କୁଲ ପକ୍ଷରୁ କରାଯାଇଛି । ମିଳିଥିବା ସୂଚନା ଅନୁସାରେ,୪ଟି ପ୍ରି-ବୋର୍ଡ ପରୀକ୍ଷାରୁ ସର୍ବାଧିକ ନମ୍ବର ବିଚାରକୁ ନିଆଯିବ! ପ୍ରି-ବୋର୍ଡ ପରୀକ୍ଷାର ସର୍ବାଧିକ ନମ୍ବର ଆଧାରରେ ମୂଲ୍ୟାୟନ ହୋଇପାରେ । କିନ୍ତୁ ପ୍ରଶ୍ନ ଉଠୁଛି, ପରୀକ୍ଷା ମାର୍କିଂର ଆଧାର କଣ ହେବ ? ଗ୍ରେଡେସନ କିଭଳି ହେବ ? କଲେଜରେ କିଭଳି ଆଡମିଶନ ହେବ? ମେରିଟ ଲିଷ୍ଟ କିଭଳି ପ୍ରସ୍ତୁତ ହେବ ? ଯେଉଁମାନେ ପ୍ରି-ବୋର୍ଡ ପରୀକ୍ଷା ଦେଇନାହାନ୍ତି ସେମାନଙ୍କର କଣ ହେବ?

ଗଣଶିକ୍ଷା ବିଭାଗର ତର୍କ ହେଲା ପରୀକ୍ଷା ଫଳରେ ଯେଉଁ ଛାତ୍ରଛାତ୍ରୀ ଅସହମତି ପ୍ରକାଶ କରିବେ ସେମାନଙ୍କୁ ପରୀକ୍ଷା ଦେବାର ସୁଯୋଗ ଦିଆଯିବ । କିନ୍ତୁ ବଡ ପ୍ରଶ୍ନ ହେଲା, ଯେଉଁମାନେ ପ୍ରି-ବୋର୍ଡ ପରୀକ୍ଷା ଦେଇନାହାନ୍ତି ସେମାନଙ୍କର କଣ ହେବ ।ସରକାରଙ୍କ ନିଷ୍ପତି ଉପରେ ଶିକ୍ଷକ ସଂଘ ଓଷ୍ଟା ବି ପ୍ରଶ୍ନ ଉଠାଇଛି । ସଂଘ କହିଛି ଯୁକ୍ତ ଦୁଇ ପଢିଲା ବେଳେ ବିଷୟ ଠିକ କରିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିବ । ସିବିଏସଇ ଭଳି ରାଜ୍ୟରେ ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଛି । ମେ ମାସ ୩ତାରିଖରେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ହେବାର ଥିଲା । ଏବର୍ଷ ମୋଟ ୬ ଲକ୍ଷ ୪୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାର ଥିଲା ।