କରୋନା ସ୍ଥିତିର ମୁକାବିଲା ପାଇଁ ଅଂଟା ଭିଡ଼ିଲା ଓଡ଼ିଶା । ଖର୍ଚ୍ଚ ହେବ ୧୭ ହଜାର କୋଟି, ରାଜ୍ୟ କ୍ୟାବିନେଟ୍ ବୈଠକରେ ୨୨ଟି ପ୍ରସ୍ତାବକୁ ମଞ୍ଜୁରୀ ।

737

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୧୭ ହଜାର କୋଟି । ଅର୍ଥନୀତିର ପୁନଃରୁଦ୍ଧାର ଓ ଗ୍ରାମାଚଂଳରେ ଜୀବିକା ସୃଷ୍ଟି କରିବା କ୍ଷେତ୍ରରେ ଏହି ଅର୍ଥ ଖର୍ଚ କରାଯିବ । କୃଷି କ୍ଷେତ୍ରଠାରୁ ଆରମ୍ଭ କରି ପର୍ଯ୍ୟଟନ, ଶିଳ୍ପ ଓ ଦକ୍ଷତା ବିକାଶ କ୍ଷେତ୍ରରେ ଖର୍ଚ୍ଚ ହେବ ଏହି ଟଙ୍କା । ୨୦୨୦ ଜୁନ୍ରୁ ୨୦୨୧ ମାର୍ଚ ଭିତରେ ବିଭିନ୍ନ କ୍ଷେତ୍ରରେ ଏହି ୧୭ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ।

କରୋନା ମୁକାବିଲା ପାଇଁ ଅଂଟା ଭିଡିଲେ ରାଜ୍ୟ ସରକାର । ଗ୍ରାମାଂଚଳରେ ଜୀବିକା ସୃଷ୍ଟି ପାଇଁ ଖର୍ଚ୍ଚ କରିବେ ୧୭ ହଜାର କୋଟି । ତାଲାବନ୍ଦ କଟକଣା ଯୋଗୁଁ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ଲକ୍ଷ ଲକ୍ଷ ସଂଖ୍ୟାରେ ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ । ଏହାକୁ ଦୃଷ୍ଟିରେ ରଖି ଗ୍ରାମାଂଚଳରେ ଜୀବିକା ସୃଷ୍ଟି ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ୨୦୨୦ ଜୁନରୁ ୨୦୨୧ ମାର୍ଚ୍ଚ ମାସ ମଧ୍ୟରେ ଅର୍ଥାତ୍ ଆସନ୍ତା ୧୦ ମାସ ଭିତରେ ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚ ହେବ ୧୭ ହଜାର କୋଟି ଟଙ୍କା । କୃଷି କ୍ଷେତ୍ର ପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ଏହାଦ୍ୱାରା ଉପକୃତ ହେବେ ରାଜ୍ୟର ୨୪ ଲକ୍ଷ ୫୦ ହଜାର ଚାଷୀ ।

ଏବେ ନଜର ପକାନ୍ତୁ, କେଉଁ କ୍ଷେତ୍ରରେ କେତେ ଖର୍ଚ୍ଚ କରିବେ ସରକାର :
ମତ୍ସ୍ୟଚାଷ ପାଇଁ ୧୧୧ କୋଟି ୪୭ ଲକ୍ଷ
ଦକ୍ଷତା ବିକାଶ ପାଇଁ ଖର୍ଚ୍ଚ ହେବ ୧୪୦ କୋଟି
୧୦ ହଜାର ଚାଷୀ ଓ ୫ ହଜାର ସ୍ୱୟଂ ସହାୟତା ଗୋଷ୍ଠୀଙ୍କୁ ଛତୁ ଚାଷ ପାଇଁ ସହାୟତା ଦିଆଯିବ
୪ ହଜାର ପାନଚାଷୀଙ୍କୁ ମିଳିବ ୧୬ କୋଟି ଟଙ୍କାର ସହାୟତା
ଧାମରା ଓ ଢେଙ୍କାନାଳରେ ପ୍ରତିଷ୍ଠା ହେବ ଦୁଇଟି ଶିଳ୍ପ ପାର୍କ
୧୦୦୦ ଏକର ଲେଖାଏଁ ଜମିରେ ପାର୍କ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୬ରୁ ୭ ହଜାର କୋଟି

ମୋଟ ୨୨ଟି ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ । ଆସ୍କା ଚିନି କଳକୁ ୧୫ କୋଟି ଟଙ୍କାର ଗ୍ୟାରେଂଟି ଦେବେ ସରକାର । କ୍ୟାସ କ୍ରେଡିଟ ଆକାରରେ ରୁଣ ନେବାକୁ କ୍ୟାବିନେଟ ଅନୁମୋଦନ ଦେଇଛି । ସେହିପରି ହୋଟେଲ, ରେଷ୍ଟ୍ରୁରାଂଟ ଓ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଇଡକୋ ପକ୍ଷରୁ ଜମି ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି ସରକାର । କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟକୁ ୧ ଟଙ୍କା ଭଡ଼ାରେ ଯୋଗାଇ ଦିଆଯିବ ଜମି ।

ମାଳତୀ ଦେବୀ ପ୍ରାକ ବିଦ୍ୟାଳୟ କାର୍ଯ୍ୟକ୍ରମ ଜରିଆରେ ଅଙ୍ଗନୱାଡି କେନ୍ଦ୍ରରେ ପଢୁଥିବା ପିଲାଙ୍କୁ ମିଳିବ ଯୋତା, ମୋଜା ଓ ସ୍ୱେଟର । ସେହିପରି ଏଗ୍ରିକଲଚର ଆକ୍ଟ ୧୯୫୬ରେ ସଂଶୋଧନ କରି ଇ-ମାର୍କେଟରେ ଉତ୍ପାଦ ବିକ୍ରି ପାଇଁ ଚାଷୀଙ୍କୁ ଅନୁମତି ଦିଆଯାଇଛି ।

ଯୁଦ୍ଧକାଳୀନ ଭିତିରେ ଗ୍ରାମାଂଚଳର ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ଅନ୍ୟ କ୍ୟାବିନେଟ ନିଷ୍ପତି ଅନୁସାରେ ଶକ୍ତି ବିଭାଗ ଅଧୀନକୁ ଆସିବ ଓରେଡା । ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମକୁ ପ୍ରଫେସନାଲ୍ କୋର୍ସର ମାନ୍ୟତା ଦେବା ପାଇଁ ମଧ୍ୟ ନିଷ୍ପତି ନେଇଛି କ୍ୟାବିନେଟ୍ ।