କନକ ବ୍ୟୁରୋ : କରୋନା କଟକଣା ଯୋଗୁଁ ଦୀର୍ଘଦିନ ଧରି ସ୍କୁଲଗୁଡ଼ିକ ବନ୍ଦ ରହିବା ପରେ ଶେଷରେ ରାଜ୍ୟ ସରକାର ଶନିବାର ଦିନ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୬ ତାରିଖରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ଗୃହରେ ପାଠପଢ଼ା ଆରମ୍ଭ ହେବ । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଏହି ନିୟମ ଲାଗୁହେବ । ସକାଳ ୧୦ଟାରୁ ଦିନ ୧.୩୦ ପର୍ଯ୍ୟନ୍ତ ଶିକ୍ଷାଦାନ ଜାରି ରହିବ ।
ତେବେ ଯେଉଁଠାରେ ଦଶମ ଶ୍ରେଣୀ ପରୀକ୍ଷା କେନ୍ଦ୍ର ହୋଇଛି ସେଠାରେ ସ୍କୁଲ ଖୋଲିବା ବିଳମ୍ବିତ ହେବ। ଅବଶିଷ୍ଟ ଅନ୍ୟ ସମସ୍ତ ଶ୍ରେଣୀର ପାଠପଢ଼ା ପୂର୍ବପରି ଅନଲାଇନ୍ ମାଧ୍ୟମରେ ହେବ । ନବମ ଶ୍ରେଣୀର ଶିକ୍ଷାଦାନ ଅଗଷ୍ଟ ୧୬ ତାରିଖରୁ ଏବଂ ଏକାଦଶ ଶ୍ରେଣୀର ଶିକ୍ଷାଦାନ ସେପ୍ଟେମ୍ବର ୧୫ ତାରିଖ ପରେ କରାଯିବ । ଏ ସଂକ୍ରାନ୍ତରେ କୋଭିଡ ମାର୍ଗଦର୍ଶିକା ଜାରି କରାଯାଇଥିବା କହିଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ । ସରକାରଙ୍କ ଏହି ନିଷ୍ପତ୍ତିକୁ ଆଜି ଓଷ୍ଟା, ବିଜୁ ଛାତ୍ର ଜନତା, ଏଆଇଏସ୍ଏଫ୍ ଆଦି ବିଭିନ୍ନ ସଂଗଠନ ସ୍ବାଗତ କରିଛନ୍ତି ।
କୋଭିଡ ସଂକ୍ରମଣ ଦୃଷ୍ଟିରୁ ରାଜ୍ୟର ୨୦ଟି ଜିଲ୍ଲାକୁ ‘ଏ’ ଶ୍ରେଣୀଭୁକ୍ତ ଏବଂ ୧୦ଟି ଜିଲ୍ଲାକୁ ‘ବି’ ଶ୍ରେଣୀଭୁକ୍ତ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଅନ୍ଲାଇନ୍ରେ ପାଠପଢ଼ା କରା ଯାଉଥିଲେ ମଧ୍ୟ ୬୦ ପ୍ରତିଶତ ବିଦ୍ୟାର୍ଥୀ ଏହି ପ୍ରକ୍ରିୟାରୁ ବଞ୍ଚିତ ହେଉଛନ୍ତି। ଗତବର୍ଷ ଏହି ବିଦ୍ୟାର୍ଥୀମାନେ ୧୫୦ ଶିକ୍ଷା ଦିବସ ହରାଇ ସାରିଛନ୍ତି । ବିଭିନ୍ନ ବିଷୟରେ ଥିବା ସଂଯୋଗ ଧାରଣାକୁ ବୁଝିବା ପାଇଁ ସ୍କୁଲ ପାଠପଢ଼ା ଅପରିହାର୍ଯ୍ୟ ହୋଇ ପଡ଼ିଛି । ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରାଯାଇଥିବାରୁ ପିଲାମାନେ ୭୦ ପ୍ରତିଶତ ପାଠ୍ୟକ୍ରମ ପଢ଼ି ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ।
ଦଶମ ଏବଂ ଦ୍ବାଦଶ ଶ୍ରେଣୀର ବିଦ୍ୟାର୍ଥୀ ଜେଇ, ନିଟ୍ ଏବଂ କ୍ଲାଟ୍ ପରୀକ୍ଷା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଉଭୟ କ୍ଲାସ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଜାରି କୋଭିଡ ନିୟମ ଅନୁଯାୟୀ, ଥର୍ମାଲ ସ୍କ୍ରିନିଂ, ମାସ୍କ, ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ତେବେ ସ୍କୁଲରେ ପିଲାଙ୍କ ଉପସ୍ଥାନ ଇଚ୍ଛାଧୀନ ରଖାଯାଇଥିବା ବେଳେ ସ୍କୁଲ ଖୋଲିବା ନିଷ୍ପତ୍ତି ମଧ୍ୟ ଜିଲ୍ଲାପାଳଙ୍କ ଉପରେ ଛଡ଼ାଯାଇଛି ।