କନକ ବ୍ୟୁରୋ : ଓଡିଶା କୃଷି କ୍ଷେତ୍ରରେ ଚୁକ୍ତି ଭିତିକ ଚାଷକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ୧୯୫୬ ଆଇନକୁ ସଂଶୋଧନ କରି ଚୁକ୍ତି ଭିତିରେ ଶିଳ୍ପୋଦ୍ୟୋଗିମାନେ ଚାଷୀଙ୍କ ଜମିକୁ ନେଇ ଚାଷ କରିବାକୁ ଆଇନ ସମ୍ମତ କରାଯାଇଛି । କିଭଳି କୃଷି ଉତ୍ପାଦନ ବୃଦ୍ଧି ସହ ରପ୍ତାନୀ କରାଯାଇପାରିବ ତାକୁ ଆଖି ଆଗରେ ରଖି ସର୍ତ୍ତମୂଳକଭାବେ ଏଭଳି ଅନୁମତି ଦେଇଛନ୍ତି ସରକାର ।
ଗ୍ରାମୀଣ ଓଡିଶାରେ ଛୋଟ ଛୋଟ ଜମିରେ ଧାନ ଚାଷ କରି ଗୁଜୁରାଣ ମେଂଟାଉଥିବା ଚାଷୀ ପରିବାର କାହାଣୀ ଆମେ ସମସ୍ତେ ଜାଣିଛେ । ବାତ୍ୟା, ବର୍ଷା, ମରୁଡି ସବୁବେଳେ ଲାଗି ରହିଥାଏ । ଏହି କାହାଣୀରେ ଏବେ ଟୁଇଷ୍ଟ ଆଣିବା ପାଇଁ ଚେଷ୍ଟା କରିଛନ୍ତି ରାଜ୍ୟ ସରକାର ।
ଆଇନ ସମ୍ମତ ହେଲା ଚୁକ୍ତିଭିତିକ ଚାଷ । କୃଷି ଜମି ନେଇପାରିବେ କର୍ପୋରେଟ୍ । ଗ୍ରାମୀଣ ଓଡିଶାରେ ଜମି ନେଇ ବଡ ଆକାରରେ ଚାଷ କରି ରପ୍ତାନୀ କରିବା ଭଳି ସମ୍ଭାବନା ସୃଷ୍ଟି ପାଇଁ ଓଡିଶା ସରକାର ୧୯୫୬କୃଷି ଆଇନରେ ଏକ ବଡ ସଂଶୋଧନ କରିଛନ୍ତି । ସଂଶୋଧିତ ନୂଆ ଆଇନ ଅନୁସାରେ ଚାଷୀଙ୍କ ଜମିକୁ ଭାଗ ଆକାରରେ ଏଣିକି ନେଇପାରିବେ ଶିଳ୍ପଦ୍ୟୋଗି । ଦେଶର ଚାହିଦା ଅନୁସାରେ ବଡ ଆକାରରେ ଉତ୍ପାଦନ ପାଇଁ ଏହି ସଂଶୋଧନ, ସହାୟକ ହେବ ବୋଲି ଆଶା ରଖିଛନ୍ତି ସରକାର ।
ନବୀନ ସରକାର ତାଙ୍କ ପଂଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତିରେ କ୍ୟାବିନେଟ୍ ବୈଠକ ଡାକି ଏହି ଅର୍ଡିନାନ୍ସ ପ୍ରସ୍ତୁତ କରିଛନ୍ତି । ତେବେ ସବୁଠାରୁ ବଡ ଭୟ ହେଉଛି ଚାଷୀଙ୍କଠାରୁ କମ୍ପାନୀ ଜମି ନେଇଗଲେ ଚାଷୀ ଦୁର୍ବଳ ପଡିଯିବ ଏବଂ କମ୍ପାନୀମାନେ ରାଜ କରିବେ । ଏଥିପାଇଁ ଅର୍ଡିନାନ୍ସ ବା ଅଧ୍ୟାଦେଶରେ ରାଜ୍ୟ ସରକାର କେତେକ ବ୍ୟବସ୍ଥା ରଖିଛନ୍ତି । କୃଷକର ଜମି କିମ୍ବା ଏହି ପରିସରରେ କୌଣସି ସ୍ଥାୟୀ ନିର୍ମାଣ ହୋଇପାରିବ ନାହିଁ । ଜମିର ଅଧିକାର ନେଇ ଶିଳ୍ପୋଦ୍ୟାଗି କେବେ ଦାବି କରିପାରିବେ ନାହିଁ ।
କୃଷି କ୍ଷେତ୍ରରେ ବଡ ଧରଣର ପୁଞ୍ଜିନିବେଶ ଓ ରପ୍ତାନୀ ଭଳି ସ୍ଥିତି ଏଯାଏଁ ଗ୍ରାମୀଣ ଓଡିଶାରେ ଦେଖାଯାଇନାହିଁ । ଓଡିଶାର ଚାଷୀ ବିପିଏଲ ଅନ୍ତର୍ଭୁକ୍ତ ହୋଇ ସରକାରଙ୍କ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ଚାଉଳ ନେଇ ଏବଂ ଅନ୍ୟାନ୍ୟ ସହାୟତା ପାଇ ନିଜ ସୁବିଧା ଅନୁସାରେ ଚାଷ କାମ କରୁଥାଏ । ଏବେ କଂଟ୍ରାକ୍ଟ ଫାର୍ମିଙ୍ଗ ବା ଚୁକ୍ତିଭିତିକ ଚାଷକୁ ଆଇନ ସମ୍ମତ କରି ସରକାର ଏକ ବଡ ପରିବର୍ତନ ପାଇଁ ସମ୍ଭାବନା ସୃଷ୍ଟି କରିଛନ୍ତି । ଦେଖିବାର କଥା ଓଡିଶାର ଗରିବ ଚାଷୀ ଏଥିରୁ କଣ ଲାଭ ପାଉଛି ।