କରୋନା ନେଇ ସରକାର କରାଇଲେ ସତର୍କ : ଅନ୍ୟାନ୍ୟ ରାଜ୍ୟରେ କରୋନା ସଂକ୍ରମଣକୁ ଦେଖି ଗାଇଡଲାଇନ ଜାରି

1,826

କନକ ବ୍ୟୁରୋ : କାୟା ମେଲାଉଛି କରୋନା । ସାରାଦେଶରେ ଯେଉଁଭଳି କରୋନାର ସଂକ୍ରମଣ ବଢି ଚାଲିଛି, ଏହାକୁ ନେଇ ସତର୍କ ହେବାର ବେଳ ଆସିଛି । ଯଦିଓ ଆମ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି, ତଥାପି ସତର୍କ ନହେଲେ ପରିସ୍ଥିତି ବିଗିଡି ଯିବାର ଆଶଙ୍କା ରହିଛି ।

ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ରୂପରେ କରୋନା ଓ ଆମ ସତର୍କତା ନାଁରେ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କେରଳ, ମହାରାଷ୍ଟ୍ର, ଛତିଶଗଡ, ମଧ୍ୟପ୍ରଦେଶ, ପଞ୍ଜାବ ଓ ହରିଆଣାରେ କରୋନା ଉପରମୁହାଁ ହେବା ପରେ ଅଧିକ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଜାରି ନିର୍ଦ୍ଦେଶାବଳୀରେ କେତେକ ସତର୍କତା ନେଇ ପରାମର୍ଶ ଦିଆଯାଇଛି ।

କରୋନାର ନୂଆ ଲକ୍ଷଣ –

– ଦେହ, ହାତ ଅବଶ ଲାଗିବା

– ଭୋକ ନହେବା

– ମୁଣ୍ଡ ବିନ୍ଧା, ଦେହ, ହାତ ସାମାନ୍ୟରୁ ମଧ୍ୟମ ଘୋଳା ବିନ୍ଧା

– ନୂଆ କରି ଚର୍ମରୋଗ ଦେଖାଦେବା

– ଚର୍ମ କୁଣ୍ଡାଇ ହୋଇ ନାଲି କିମ୍ବା ବୀଳ ପଡିବା

– ଗଳା ଦରଜ ଓ ନାକ ଚୁଂଟି ହେବା

– ସାମାନ୍ୟ କାଶ ହେବା ସହ ଛାତିରେ ଯନ୍ତ୍ରଣା ହେବା

କାହିଁକି ଆବଶ୍ୟକ ଅଧିକ ସତର୍କତା ?

– କରୋନାର ଏହି ନୂଆ ରୂପ ଅଧିକ ସଂକ୍ରାମକ

– ଶୁଖିଲା ବସ୍ତୁ ଉପରେ ୮ ଦିନ ସକ୍ରିୟ ରହିପାରେ

– ପୂର୍ବ ଅପେକ୍ଷା ଅଧିକ ସହଜରେ ଦେହରେ ପ୍ରବେଶ କରିପାରେ

– କେତେକ ନୂଆ ପ୍ରଜାତି ଅଧିକ ଭୟଙ୍କର ଓ ନିୟନ୍ତ୍ରଣ କରିବା କଷ୍ଟ

– ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ଭୂତାଣୁ ଆମ ଦେଶରେ ଚିହ୍ନଟ ହେଲେଣି

କି ପ୍ରକାର ସତର୍କତା ଗ୍ରହଣ କରିବା ?

– ମୌଳିକ କୋଭିଡ ନିରୋଧୀ ଆଚରଣ ଗ୍ରହଣ କରିବା

– ହାତ ଧୋଇବା, ଠିକ ଭାବେ ମାସ୍କ ପିନ୍ଧିବା ଓ ଶାରୀରିକ ଦୂରତା ରଖିବା

– ଯେଉଁମାନେ ନିୟମ ପାଳନ କରୁନାହାନ୍ତି ସେମାନଙ୍କୁ ବୁଝାଇବା

– ସରକାରଙ୍କ ନିୟମ ଅନୁସାରେ ସମୟ ଆସିଲେ କରୋନା ଟିକା ନେବା

– ଜନସମାଗମଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖିବା

– କୋଭିଡ ନିୟମ ପାଳନକୁ ସାମ୍ବିଧାନିକ ଓ ମାନବିକ ଦାୟିତ୍ୱ ଭାବିବା

– ବାହାର ରାଜ୍ୟ ଫେରନ୍ତା ୭ଦିନ ଗୃହ ପୃଥକ ବାସରେ ନିହାତି ରହିବା

– ସନ୍ଦିଗ୍ଧ ଲକ୍ଷଣ ଥିଲେ ତୁରନ୍ତ ହସ୍ପିଟାଲ ଯାଇ କରୋନା ପରୀକ୍ଷା କରିବା