ମୋବାଇଲ ଟାୱାର ନଥିବାରୁ ଭୋଟ୍ ବର୍ଜନ ପ୍ରସଙ୍ଗ : ଦୁଃଖ ଶୁଣିଲେ ସରକାର, ଖୁବଶୀଘ୍ର ବସାଇବେ ମୋବାଇଲ ଟାୱାର !

176

କନକ ବ୍ୟୁରୋ : ମୋବାଇଲ ଟାୱର ନାହିଁ ତ ଭୋଟ୍ ନାହିଁ । ଏଭଳି ଦାବି କରି ଦେବଗଡ ଜିଲ୍ଲାର ତିଲେଇବଣି ବ୍ଲକର ୫ ଖଣ୍ଡ ପଂଚାୟତରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିନଥିଲେ । ଏବେ କିନ୍ତୁ ଲୋକଙ୍କ ଦାବିକୁ ଯଥାର୍ଥ କହି ଶୁଣିଛନ୍ତି ରାଜ୍ୟ ସରକାର । ଟାୱାର ବସାଇବା କାମ କେନ୍ଦ୍ର ସରକାରଙ୍କର ।

କିନ୍ତୁ ଏକ ଘରୋଇ କମ୍ପାନୀ ସହ କଥା ହୋଇ ଟାୱାର ବସାଇବାକୁ ନିଷ୍ପତ୍ତି ହୋଇଛି । ତିନି ଦିନ ମଧ୍ୟରେ ଟାୱାର ବସାଇବା କାମ ଆରମ୍ଭ ହେବ ବୋଲି ଜଣାପଡିଛି । ଦୀର୍ଘ ଦୁଇ ମାସ ଧରି ପଂଚାୟତବାସୀ ଆନ୍ଦୋଳନ କରୁଥିଲେ । ଏବେ ଟାୱାର ବସାଇବା ନେଇ ପ୍ରସ୍ତୁତି ଆରମ୍ଭ ହେବା ପରେ ଲୋକେ ଖୁସିବ୍ୟକ୍ତ କରିଛନ୍ତି । ହେଲେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇସାରିଥିବାରୁ କିପରି ନାମାଙ୍କନ ଦାଖଲ ହୋଇପାରିବ ସେ ନେଇ ଆଲୋଚନା ଚାଲିଛି ।

ସୂଚନା ଅନୁଯାୟୀ ମୋବାଇଲ୍‌ ଟାୱାର ନିର୍ମାଣ ପ୍ରସଙ୍ଗରେ ପଞ୍ଚାୟତବାସୀ ଭୋଟ୍‌ ବର୍ଜନ ଚେତାବନୀ ଦେଇଥିଲେ। କୌଣସି ଆଶାୟୀ ଯେପରି ପ୍ରାର୍ଥିପତ୍ର ଦାଖଲ କରି ନପାରିବେ ସେଥିପାଇଁ ୧୭ ତାରିଖରୁ ପଞ୍ଚାୟତବାସୀ ପଞ୍ଚାୟତ କା‌ର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । କେବଳ ଜିଲ୍ଲା ପରିଷଦ ପାଇଁ ତିନି ପ୍ରମୁଖର ଦଳ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଥିଲେ । ଶୁକ୍ରବାର ତିଲେଇବଣି ବ୍ଲକ ପରିସରରେ ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ସଂପୃକ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ ନିଜ ଅଞ୍ଚଳକୁ ଯାଇ ବୈଠକ କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ ବୋଲି କହିଥିଲେ ।