କନକ ବ୍ୟୁରୋ : ବିଜେଡି- ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ରାଜ୍ୟପାଳ ରଘୁବର ଦାସ । ଅମିତ ଶାହାଙ୍କ ବାସଭବନରେ ତାଙ୍କୁ ଭେଟିଛନ୍ତି ରଘୁବର ଦାସ । ରାଜ୍ୟପାଳଙ୍କ ଏଭଳି ହଠାତ୍ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିବା ମେଣ୍ଟ ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି । ନିଜ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି କେବଳ ସୌଜନ୍ୟତାମୂଳକ ସାକ୍ଷାତକାର ବୋଲି ଉଲ୍ଲେଖ କରିଛନ୍ତି ଓଡିଶା ରାଜ୍ୟପାଳ ।

ଅନ୍ୟପଟେ ବିଜେଡି- ବିଜେପି ମେଣ୍ଟ ସସପେନ୍ସ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ରାଜ୍ୟ ବିଜେପିର ବୈଠକ ବସିଥିବା ସୂଚନା ମିଳିଛି । ଧର୍ମେନ୍ଦ୍ରଙ୍କ ସରକାରୀ ବାସଭବନରେ ବୈଠକ ହେଉଥିବା କୁହାଯାଉଛି । ବୈଠକରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସାଂସଦ ଜୁଏଲ ଓରାମ, ରାଜ୍ୟ ସଭାପତି ମନମୋହନ ସାମଲ, ମାନସ ମହାନ୍ତି, ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିବା ସୂଚନା ମିଳିଛି । ସମ୍ଭାବ୍ୟ ମେଣ୍ଟ ଓ ସିଟ୍ ଦ୍ୱନ୍ଦ୍ୱ ଦୂର ପାଇଁ ବୈଠକରେ ଆଲୋଚନା ହେଉଥିବା ଚର୍ଚ୍ଚା ହେଉଛି । ସେପଟେ ଦିଲ୍ଲୀ ଗସ୍ତରେ ଥିବା ରାଜ୍ୟ ନେତୃତ୍ୱଙ୍କ ସହ ଆଜି ବୈଠକ କରିପାରନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେହି ବୈଠକରେ ମେଣ୍ଟ ସମ୍ପର୍କରେ କିଛି ନିଷ୍ପତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି । ସେହିପରି ସଂଧ୍ୟାରେ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ବସୁଛି । ଏହି ବୈଠକରେ ମଧ୍ୟ ରାଜ୍ୟ ନେତୃତ୍ୱ ସାମିଲ ହୋଇପାରନ୍ତି ।