ରାଜନୀତିରେ ସ୍ୱାସ୍ଥ୍ୟ । ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ, ପ୍ରଣବ କହିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳୁଛି ଆୟୁଷ୍ମାନ ଠାରୁ ଭଲ ସୁବିଧା ।

ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଗଣାଇଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପକାରିତା

183

କନକ ବ୍ୟୁରୋ : ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ଲାଗୁ କରିବା ପାଇଁ ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେଲେ ଓଡ଼ିଶାର ଗରିବ ଲୋକଙ୍କ ସମେତ ଗୁଜୁରାଟ, ପଶ୍ଚିମବଂଗ, କର୍ଣ୍ଣାଟକ, ଆନ୍ଧ୍ର ଭଳି ରାଜ୍ୟରେ କାମ କରୁଥିବା ଲୋକମାନେ ବିଶେଷ ଭାବେ ଉପକୃତ ହେବେ । ତେଣୁ ଓଡ଼ିଶା ଲୋକଙ୍କ ଦାୟିତ୍ୱ ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିିଛନ୍ତି ।

ହେଲେ ଧର୍ମେନ୍ଦ୍ରଙ୍କ ଏହି ପ୍ରସ୍ତାବକୁ କାଉଂଟର କରିଛନ୍ତି ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ । କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟ୍ୱିଟ କରି ଲେଖିଛନ୍ତି- ଆୟୁଷମାନ ଭାରତରେ ହିତାଧିକାରୀ ୬୦ ଲକ୍ଷରେ ସୀମିତ । ହେଲେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୯୬ ଲକ୍ଷ ପରିବାର ହିତାଧିକାରୀ ଅଛନ୍ତି, ଯାହା ପ୍ରାୟ ଶତ ପ୍ରତିଶତ ବୋଲି ପ୍ରଣବ ଲେଖିଛନ୍ତି ।

ସେହିପରି ଆୟୁଷମାନ ଭାରତରେ ସରକାରୀ ହସ୍ପିଟାଲରେ ସର୍ବାଧିକ ୫ ଲକ୍ଷ ଟଙ୍କାର ଚିକିତ୍ସା ସେବା ମିଳୁଥିବାବେଳେ ରାଜ୍ୟ ସରକାରଙ୍କ ଯୋଜନାରେ ସରକାରୀ ହସ୍ପିଟାଲରେ ଏହା ଅସୀମିତ ବୋଲି ଟ୍ୱିଟ କରିଛନ୍ତି ପ୍ରଣବ ପ୍ରକାଶ ଦାସ । ରାଜ୍ୟ ଯୋଜାନର ଅତିରିକ୍ତ ଲାଭଗୁଡିକୁ ଗୋଟିଏ ପରୋ ଗୋଟିଏ ଗଣାଇଛନ୍ତି ପ୍ରଣବ । ମହିଳା ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୧୦ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ବ୍ୟବସ୍ଥା ଏବଂ ଆପୋଲୋ, ଫର୍ଟିଜ ଭଳ ବଡବଡ ହସ୍ପିଟାଲ ଅନ୍ତର୍ଭୁକ୍ତ ବୋଲି କହି ଧର୍ମେନ୍ଦ୍ରଙ୍କୁ କାଉଂଟର କରିଛନ୍ତି ପ୍ରଣବ ।