କନକ ବ୍ୟୁରୋ : ସ୍କୁଲ ପରେ ଏବେ କଲେଜ ଛାତ୍ରଛାତ୍ରୀ ଶୁଣିବେ ହକି ସଫଳତାର ଗାଥା । ପ୍ରତି ସୋମବାର ଦିନ ପିଲାଙ୍କୁ ଏକାଠି କରି ହକିର ସଫଳ କାହାଣୀ ବିଷୟରେ ଅବଗତ କରାଯିବ । ଭାରତୀୟ ହକିର ପୁନରୁଦ୍ଧାର ଓ ଗୌରବ ଫେରାଇବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନ ସମ୍ପର୍କରେ ପିଲାଙ୍କୁ ଜଣାଯିବ ।

Advertisment

କ୍ୟାମ୍ପସରେ ହକିର ସଫଳତାକୁ ନେଇ ପୋଷ୍ଟର ମଧ୍ୟ ଲଗାଯିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ବେସରକାରୀ ଅନୁଦାନପ୍ରାପ୍ତ ୪୮୮ ବର୍ଗ କଲେଜ, ବେସରକାରୀ ଅନୁଦାନପ୍ରାପ୍ତ ୬୬୨ ବର୍ଗ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । ଏହି ଚିଠିରେ ହକି ନେଇ ଲେଖାଯାଇଥିବା ଏକ ବାର୍ତ୍ତା ଓ ପୋଷ୍ଟରର ଫର୍ମାଟ ଦିଆଯାଇଛି ।

ପ୍ରତି ସୋମବାର କଲେଜ କ୍ୟାମ୍ପସରେ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ସନ୍ଦେଶ ପଢି ଶୁଣାଇବାକୁ କୁହାଯାଇଛି । ଏକାଠି ହୋଇଥିବା ଛାତ୍ରଛାତ୍ରୀଙ୍କୁ ଚକ୍ଲେଟ୍ କିମ୍ବା ମିଠା ବଣ୍ଟନ କରାଯିବ । ଏହି ଖର୍ଚ୍ଚ କଲେଜ କଂଟିଜେନ୍ସି ଫଣ୍ଡରୁ ବହନ କରାଯିବ । ୧୯୨୮, ୧୯୩୨ ଏବଂ ୧୯୩୬ରେ ଅନୁଷ୍ଠିତ ଅଲିମ୍ପିକ୍ସରେ ଭାରତର କ୍ରମାଗତ ସ୍ୱର୍ଣ୍ଣପଦକ ବିଜୟ ଛାତ୍ରଛାତ୍ରୀମାନେ ଜାଣିବେ ।