ବମିଖାଲ ଓଭରବ୍ରିଜର ନିର୍ମାଣ କାମ ନିଜେ କରିବେ ସରକାର : ୨ ମାସ ଭିତରେ ଶେଷ ହେବ କାମ, ତୃତୀୟ ପକ୍ଷ ଦ୍ୱାରା ଯାଂଚ ହେବ ନିର୍ମାଣର ମାନ

22

କନକ ବ୍ୟୁରୋ : ବମିଖାଲ ଓଭର ବ୍ରିଜର ନିର୍ମାଣ କାମ ନିଜେ କରିବେ ସରକାର । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଦୁର୍ଘଟଣା ପରେ ତିନି ଜଣିଆ ବିଶେଷଜ୍ଞ ଦଳ ଏହି ବ୍ରିଜର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେଇଥିଲେ । ସେହି ଆଧାରରେ ସରକାର ଏହି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ବମିଖାଲ ଓଭର ବ୍ରିଜ ସହ ଭୁବନେଶ୍ୱର ଲିଙ୍ଗରାଜ ଫ୍ଲାଏ ଓଭର ମଧ୍ୟ ପୂର୍ତ୍ତ ବିଭାଗ ନିର୍ମାଣ କରିବ । ଏହି ସବୁ କାମରୁ ପଣ୍ଡା ଇନଫ୍ରା କମ୍ପାନୀକୁ ବାଦ ଦିଆଯାଇଛି । ଏହା ସହ ଆସନ୍ତା ଦୁଇ ମାସ ମଧ୍ୟରେ ଏହି ଦୁଇଟି କାମ ସାରିବା ପାଇଁ ପୂର୍ତ୍ତ ବିଭାଗ ଉଦ୍ୟମ କରି ବୋଲି ମନ୍ତ୍ରୀ କହିଛନ୍ତି । ସମସ୍ତ ନିର୍ମାଣ କାମର ମାନ ତୃତୀୟ ପକ୍ଷ ଦ୍ୱାରା ଯାଂଚ କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ଏହା ସହ ସମ୍ବଲପୁର ଓ ଜଟଣିରେ ହେଉଥିବା ନିର୍ମାଣ କାମରୁ ମଧ୍ୟ ବର୍ତମାନ ପାଇଁ ଏହି କମ୍ପାନୀକୁ ବାଦ ଦିଆଯାଇଥିବା ବେଳେ ଏନେଇ ସରକାର ଆଇନଗତ ଦିଗ ପ୍ରତି ସରକାର ଅନୁଧ୍ୟାନ କରୁଛନ୍ତି ବୋଲି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି । ବମିଖାଲ ଦୁର୍ଘଟଣାରେ ଠିକା କମ୍ପାନୀରୁ ଦାୟୀ କରିଛନ୍ତି ସରକାର । ଅନ୍ୟପଟେ ବିଭାଗୀୟ ଅଧିକାରୀ ମାନଙ୍କଠାରୁ ମଧ୍ୟ ଜବାବ ତଲବ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ବମିଖାଲ ଓଭରବ୍ରିଜ ଭୁଶୁଡିବା ଘଟଣାରେ ପଣ୍ଡା ଇନଫ୍ରାର ନିର୍ଦ୍ଦେଶକ ପ୍ରଶାନ୍ତ ପାଢୀଙ୍କୁ ପୁଲିସ ଗିରଫ କରିଛି । ଦଫା ୩୦୪, ୩୩୪, ୩୩୫ ଓ ୩୪ ଆଇପିସି ଧାରାରେ ତାଙ୍କୁ ଗିରଫ କରାଯାଇଛି । ଘଟଣାର ତଦନ୍ତ ଚାଲିଛି । ଅନ୍ୟ ମାନଙ୍କ ସଂପୃକ୍ତି ନେଇ ଅନୁସନ୍ଧାନ ଚାଲିଥିବା ଡିସିପି ଅନୁପ ସାହୁ କହିଛନ୍ତି ।