ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ କଲେ ସରକାର । ଆକ୍ରାନ୍ତଙ୍କ ନାମ ପ୍ରଦୀପ୍ତ ଦଳବେହେରା । ଘର ସୂର୍ଯ୍ୟନଗର । ମାର୍ଚ୍ଚ ପରେ ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ସଙ୍ଗରୋଧରେ ରହିବାକୁ ସରକାରଙ୍କ ନିର୍ଦ୍ଦେଶ
କନକ ବ୍ୟୁରୋ: ୫ମ କରୋନା ଆକ୍ରାନ୍ତଙ୍କ ବାବଦରେ ବଡ ସୂଚନା ଦେଲେ ବିଏମସି କମିଶନର । ୫ମ ଆକ୍ରାନ୍ତଙ୍କ ନାଁ ଓ ଠିକଣା ସାର୍ବଜନୀନ କଲେ ସରକାର । ଉକ୍ତ ବ୍ୟକ୍ତିଙ୍କ ନାମ ପ୍ରଦୀପ୍ତ ଦଳବେହେରା । ଘର-ସୂର୍ଯ୍ୟନଗର, ପ୍ଲଟ ନଂ ୩୭, ୟୁନିଟ- ୭, ଭୁବନେଶ୍ୱର । ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ସଙ୍ଗରୋଧରେ ରୁହନ୍ତୁ ବୋଲି ବିଏମସି କମିଶନର କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଉକ୍ତ ବ୍ୟକ୍ତି ବିଦେଶ ଯାଇନଥିଲେ କି କୌଣସି ସ୍ଥାନକୁ ଯାତ୍ରା କରି ନଥିଲେ । ତେଣୁ ମାର୍ଚ୍ଚ ୧ ପରେ ତାଙ୍କ ସହ ଯେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସଙ୍ଗରୋଧରେ ରୁହନ୍ତୁ । ଉକ୍ତ ବ୍ୟକ୍ତିଙ୍କ ପରିବାର ସହ କେହି ସାମାଜିକ ପକ୍ଷପାତିତା ନକରିବାକୁ ନିର୍ଦ୍ଦେଶ । କେହି ଯଦି ତାଙ୍କ ପରିବାର ସହ କ୍ଷତି ପହଞ୍ଚାଏ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ବିଏମସି କମିଶନର ।
ସେପଟେ ଆକ୍ରାନ୍ତ ରହୁଥିବା ଅଞ୍ଚଳରେ ଲାଗିଲା କଟକଣା । ଆକ୍ରାନ୍ତ ବ୍ୟକ୍ତି ରହୁଥିବା ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଗଲା । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ନିଷିଦ୍ଧାଞ୍ଚଳକୁ ପ୍ରବେଶ- ପ୍ରସ୍ଥାନ ମନା । ଉକ୍ତ ଅଞ୍ଚଳରେ ବ୍ୟାରିକେଡ କରାଯିବ । ତେବେ ଗୋପବନ୍ଧୁ ଛକରୁ ଏଲଆଇସି ଛକ, ଏଲଆଇସି ଛକରୁ ଗଙ୍ଗନଗର, ଗଙ୍ଗନଗରରୁ ଶିରିପୁର ଛକ ଏବଂ ଶିରିପୁରରୁ ପୁଣି ଗୋପବନ୍ଧୁ ଛକ ଯାଏଁ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଛି ।