ଓଡିଶା ପ୍ରଜ୍ଞାପନ ମେଢ ହେଲା ପ୍ରଥମ । ଓଡିଶା ସରକାରଙ୍କ ପ୍ରତିନିଧି ଗ୍ରହଣ କଲେ ଟ୍ରଫି ଏବଂ ପ୍ରମାଣପତ୍ର ।

126

କନକ ବ୍ୟୁରୋ: ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ଓଡିଶାର ପ୍ରଜ୍ଞାପନ ମେଢ ପ୍ରଥମ ସ୍ଥାନ ଅଧିକାର କରିଛି । ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ପ୍ରତିନିଧି ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟଙ୍କଠାରୁ ଟ୍ରଫି ଓ ପ୍ରମାଣପତ୍ର ଗ୍ରହଣ କରିଛନ୍ତି । ଓଡିଶା ସରକାରଙ୍କ ପକ୍ଷରୁ ସୂଚନା ଓ ଓ ଲୋକସମ୍ପର୍କ ବିଭାଗର ସହକାରୀ ସୂଚନା ଅଧିକାରୀ ହରପ୍ରସାଦ ମହାପାତ୍ର ଓ ପ୍ରଜ୍ଞାପନ ମେଢର ଶିଳ୍ପୀ କିର୍ତୀ କିଶୋର ମହାରଣା ଏହାକୁ ଗ୍ରହଣ କରିଛନ୍ତି ।

ଓଡିଶା ପ୍ରଜ୍ଞାପନ ମେଢରେ ରାଜ୍ୟର କଳା, ସଂସ୍କୃତି ଓ ନାରୀ ସଶକ୍ତିକରଣକୁ ସ୍ଥାନିତ କରାଯାଇଥିଲା । ଏହି ପ୍ରଜ୍ଞାପନ ମେଢ ଅନ୍ୟ ପ୍ରଜ୍ଞାପନ ମେଢଠାରୁ ଅଲଗା ଥିଲା । କର୍ତ୍ତବ୍ୟପଥରେ ଗଡିବାବେଳେ କରତାଳିରେ ପ୍ରକମ୍ପିତ ହୋଇଥିଲା ପରିବେଶ । ରଘୁରାଜପୁର ଐତିହ୍ୟ ଗ୍ରାମର ପଟ୍ଟଚିତ୍ରକୁ ନେଇ ମହିଳା ଶିଳ୍ପୀମାନେ କିଭଳି ନିଜକୁ ସ୍ୱାବଲମ୍ବୀ ଓ ସଶକ୍ତ କରିପାରିଛନ୍ତି, ତାହା ଥିଲା ପ୍ରଜ୍ଞାପନ ମେଢ଼ର ବାର୍ତ୍ତା । ଏହାସହ ସମ୍ବଲପୁରୀ ଗୀତର ତାଳେ ତାଳେ ପାରମ୍ପରିକ ନୃତ୍ୟ ସମସ୍ତଙ୍କ ମନ ମୋହି ନେଇଥିଲା । ଜାତୀୟ ପରେଡ ଉତ୍ସବର ମୁଖ୍ୟ ଅତିଥି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ମନକୁ ମଧ୍ୟ ଛୁଇଁ ଯାଇଥିଲା । ମେଢ଼ର ସମ୍ମୁଖ ଭାଗରେ ସୁସଜ୍ଜିତ କନ୍ଦର୍ପ ହାତୀ, ହାତୀ ଉପରେ ପ୍ରଭୁ ଶ୍ରୀକୃଷ୍ଣଙ୍କ କଳାକୃତି ଏହାର ସୌନ୍ଦର୍ଯ୍ୟକୁ ବଢ଼ାଇ ଦେଇଥିଲା । ହାତୀର ଦୁଇ ପାଶ୍ୱର୍ରେ ଲାଗିଥିବା ଚକ୍ର ବୁଲୁଥିବା ବେଳେ ମଝିରେ ଲାଗିଥିବା ଛତ୍ର ମଧ୍ୟ ବୁଲୁଥିବାର ଦୃଶ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା ।