କରୋନାର ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ମୁକାବିଲା ପାଇଁ ବିଶେଷଜ୍ଞ ଡାକ୍ତର ଓ ବୈଜ୍ଞାନିକଙ୍କୁ ନେଇ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ ।

181

କନକ ବ୍ୟୁରୋ: କରୋନାର ତୃତୀୟ ଲହର ଆଗରୁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ମୁକାବିଲା ପାଇଁ ଏବେ ଠାରୁ ରାଜ୍ୟ ତିଆରି କରିଛନ୍ତି ମାଷ୍ଟର ପ୍ଲାନ । ତୃତୀୟ ଲହରକୁ ମୁକାବିଲା ପାଇଁ ଉଚ୍ଚ କ୍ଷମତାସଂପନ୍ନ କମିଟି ଗଠନ କରିଛନ୍ତି ସରକାର । ଦେଶର ବିଶେଷଜ୍ଞ ଡାକ୍ତର ଓ ବୈଜ୍ଞାନିକ ଏହି କମିଟିରେ ରହି ସରକାରଙ୍କୁ କରୋନା ମୁକାବିଲାରେ ବାଟ ଦେଖାଇବେ ।

ଦେଶର ୩ ଜଣ ବଛା ବଛା ଡାକ୍ତର ଏବଂ ରାଜ୍ୟ ସରକାରଙ୍କ ଡିଏମଇଟିଙ୍କୁ ନେଇ ଗଠିତ ଏହି ଉଚ୍ଚ କ୍ଷମତା ସଂପନ୍ନ କମିଟି ପରାମର୍ଶରେ କରୋନାର ତୃତୀୟ ଲହର ମୁକାବିଲା କରିବାକୁ ପ୍ରସ୍ତୁତ ହୋଇଛନ୍ତି ରାଜ୍ୟ ସରକାର ।

ଡାକ୍ତର ଶ୍ରୀନାଥ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଏହି କମିଟିରେ ଅଛନ୍ତି ଦେଶର ୩ ବିଶେଷଜ୍ଞ ଡାକ୍ତର ଓ ବୈଜ୍ଞାନିକ । ଡିଏମଇଟି ସିବିକେ ମହାନ୍ତି ଏହି କମିଟିର ଆବାହକ ରହିଛନ୍ତି । ମହାମାରୀ କରୋନାର ମୁକାବିଲା ନେଇ ଏହି କମିଟି ସରକାରଙ୍କୁ ପରାମର୍ଶ ଦେବ । ତୃତୀୟ ଲହର ଶିଶୁଙ୍କ ପାଇଁ ଘାତକ ହେବାକୁ ଥିବାର ୁଏହା ଆଗରୁ ରାଜ୍ୟରେ ଚିକିତ୍ସା ଭିତିଭୂମି ଉପରେ ଫୋକସ ଦେଇଛନ୍ତି ସରକାର । କିଛି ଦିନ ଆଗରୁ କେନ୍ଦ୍ର ସରକାର କହିଥିଲେ ତୃତୀୟ ଲହର ଅବସମ୍ଭାବୀ । ହେଲେ କେତେବେଳେ ଏହା ଆସିବ ତାହା କହିବା ମୁସ୍କିଲ । ଦ୍ୱିତୀୟ ଲହରକୁ ନେଇ ଅସ୍ତବ୍ୟସ୍ତହୋଇପଡିଥିବା ରାଜ୍ୟ ସରକାରଙ୍କ ପାଇଁ ଏବେ ଚିନ୍ତା ବଢାଇଛି ତୃତୀୟ ଲହର ।

ବର୍ତମାନ ରାଜ୍ୟର ପ୍ରତ୍ୟକ ଜିଲ୍ଲାର ସଂକ୍ରମଣ ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । ୧୦ ଜିଲ୍ଲାରେ ପଜିଟିଭିଟି ହାର ସମାନ ସ୍ତରରେ ରହିବା ସହ ତଳକୁ ଖସିବାକୁ ଲାଗିଲାଣି । ପଶ୍ଚିମାଂଚଳ ଜିଲ୍ଲା ଗୁଡିକରେ ତଳକୁ ଖସୁଛି ପଜିଟିଭିଟି ହାର । ରାଜ୍ୟରେ ବର୍ତମାନ ଲକଡାଉନ ଲାଗୁର ସୁଫଳ ମିଳୁଛି । ସଂକ୍ରମଣ ସଂଖ୍ୟା କମୁଥିବାରୁ ସମସ୍ତଙ୍କୁ ସଜାଗ ହେବା ସହିତ କରୋନା ନିୟମ ପାଳନ କରିବାକୁ ନିବେଦନ କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଭୁବନେଶ୍ୱର ମହାନଗର ନିଗମରେ ୬୦ ବର୍ଷରୁ ଅଧିକ ଯେଉଁ ବରିଷ୍ଠ ନାଗରିକ, ଟେଷ୍ଟିଂ ପାଇଁ କିମ୍ୱା ଟିକାକରଣ ପାଇଁ ଘରୁ ବାହାରକୁ ଆସି ପାରୁନାହାନ୍ତି ସେମାନେ ୧୯୨୯ ଟୋଲ ଫ୍ରି ନଂବରର ସହାୟତା ନେଇପାରିବେ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର । ଟୋଲ୍ ଫ୍ରି ନଂବରରେ କଲ୍ କରି ନିଜ ନାମ ଓ ଘର ଠିକଣା ଦେଲେ ବିଏମସିର ସ୍ୱତନ୍ତ୍ର ଟିମ୍ ଯାଇ ଘରୁ ସଂଗ୍ରହ କରିଆଣିବ ସାମ୍ପଲ । ସେହିପରି ଟିକାକରଣ ପାଇଁ ଟୋଲଫ୍ରି ନଂବରରେ କଲ୍ କରି ନାମପଂଜିକରଣ କଲେ, ବିଏମସି ଗାଡିରେ ଯାଇ ଟିକା ନେଇ ଆସିବେ ବରିଷ୍ଠ ନାଗରିକ । ଆସନ୍ତା ସୋମବାର ଠାରୁ ଏହି ଯୋଜନା କାର୍ଯ୍ୟକାରୀ ହେବ ।