କରୋନାର ତୃତୀୟ ଲହର ପାଇଁ ସରକାର ସଜାଗ । ମୁକାବିଲା ପାଇଁ ଏବେଠୁ ପ୍ରସ୍ତୁତ ହେଲାଣି ମାଷ୍ଟରପ୍ଲାନ, ଗଠନ ହେଲା ଉଚ୍ଚ କ୍ଷମତାସମ୍ପନ୍ନ କମିଟି । 

367

କନକ ବ୍ୟୁରୋ : କରୋନାର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କଲେ ରାଜ୍ୟ ସରକାର । ତୃତୀୟ ଲହର ଆସିବା ପୂର୍ବରୁ ସଜାଗ ହୋଇଛନ୍ତି ସରକାର । ଆଉ ଏଥିପାଇଁ ଏକ ଉଚ୍ଚ କ୍ଷମତାସମ୍ପନ୍ନ ପରାମର୍ଶଦାତା କମିଟି ଗଠନ କରିଛନ୍ତି ସରକାର । ଡାକ୍ତର ଡକ୍ଟର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ଦେଶର ବିଶେଷଜ୍ଞ ଡାକ୍ତର ଓ ବୈଜ୍ଞାନିକ ଏହି କମିଟିରେ ରହିଛନ୍ତି  । ଯେଉଁମାନେ ଟିକାକରଣ ଓ କରୋନାର ଅନ୍ୟ ଯେଉଁ ଲହରୀ  ଆସିବ ତାହାର ମୁକାବିଲା ପାଇଁ ଏହି କମିଟି ପରାମର୍ଶ ଦେବ । କମିଟିର ପରାମର୍ଶ ଅନୁଯାୟୀ, ସରକାର ମହାମାରୀ ମୁକାବିଲା ପାଇଁ ପଦକ୍ଷେପ ନେବେ । ଆଗକୁ କରୋନାର ଯେଉଁ ଲହରୀ ଆସିବ ତାହା ଶିଶୁ ମାନଙ୍କୁ ସଂକ୍ରମିତ କରିବାର ଯଥେଷ୍ଟ ଆଶଙ୍କା ରହିଛି । ତେଣୁ ଶିଶୁ ମାନଙ୍କ ଚିକିତ୍ସା ପାଇଁ କଣ ଭିତ୍ତିଭୂମି ଆବଶ୍ୟକ ସେ ବାବଦରେ ଆଲୋଚନା କରି ସୂଚନା ଦେବେ ପରାମର୍ଶଦାତା କମିଟି । ଏହି କମିଟିରେ ଡାକ୍ତର ଦେବୀ ସେଟ୍ଟୀ, ଡାକ୍ତର ରମାକାନ୍ତ ପଣ୍ଡାଙ୍କ ସମେତ ବିଶେଷଜ୍ଞ ଡାକ୍ତର ଏହି କମିଟିରେ ରହିଛନ୍ତି । ଡିଏମଇଟି ଏହାର ଆବାହକ ରହିଛନ୍ତି । ବିଶ୍ୱର ବିଭିନ୍ନ ଦେଶରେ କିଭଳି କରୋନାର ମୁକାବିଲା କରାଯାଇଛି ସେହି ଅନୁଯାୟୀ ଭବିଷ୍ୟତ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଏହାବାଦ୍ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରାଯାଇଛି । ଟେଣ୍ଡର କାଗଜପତ୍ରକୁ ଓଡ଼ିଶା ମେଡିକାଲ କର୍ପୋରେସନର ୱେବସାଇଟରେ ଅପଲୋଡ କରାଯାଇଛି । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଗ୍ଲୋବାଲ ଟେଣ୍ଡର କରିପାରିଛି । ପ୍ରାୟ ୩ କୋଟି ୮୦ ଲକ୍ଷ ଭ୍ୟାକସିନ କିଣିବାକୁ ହୋଇଛି ଗ୍ଲୋବାଲ ଟେଣ୍ଡର । ମାତ୍ର ୪ ମାସ ମଧ୍ୟରେ ଯୋଗାଇ ଦେବାକୁ ଡେଡଲାଇନ ରଖାଯାଇଛି । ୧୯ରେ ପ୍ରି ବିଡ ଆଲୋଚନା ରଖାଯାଇଛି । ୨୮ ତାରିଖ ଭିତରେ ଭ୍ୟାକସିନ ଉତ୍ପାଦନକାରୀ ଏହି ଟେଣ୍ଡରରେ ଭାଗ ନେଇପାରିବେ । ଯଦି ଭ୍ୟାକସିନ ଯୋଗାଇ ଦେବାକୁ କମ୍ପାନି ଗୁଡିକ ଆଗ୍ରହ ଦେଖାନ୍ତି ତେବେ ଖୁବଶୀଘ୍ର ଟିକା ଅର୍ଡର କରାଯିବ । ଆଉ ରାଜ୍ୟବାସୀଙ୍କ ଟିକା ଦିଆଯିବ ବୋଲି କହିଛନ୍ତି ସୁରେଶ ।

ମୁଖ୍ୟ ଶାସନ ସଚିବ କହିଛନ୍ତି, କରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟରେ ଲକଡାଉନ କରାଯାଇଛି । ପୂର୍ବରୁ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ଦ୍ରୁତ ଗତିରେ ବଢିଥିବା ବେଳେ ଏବେ ସଂକ୍ରମଣ ହାର ଧୀରେ ଧୀରେ କମିବା ଆରମ୍ଭ ହୋଇଛି । ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ସଂକ୍ରମଣ କମିବା ଆରମ୍ଭ ହୋଇଛି । ଖୁବ୍ କମ ଦିନରେ ଲକଡାଉନର ପ୍ରଭାବ ଦେଖିବାକୁ ମିଳିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।  ଲକଡାଉନ ସତ୍ତେ୍ୱ ମଧ୍ୟ ସଂକ୍ରମଣ ୧୦ ହଜାର ଉପରେ ରହୁଛି, ତେଣୁ ଏହାକୁ ହାଲୁକାରେ ନିଆଯାଇପାରିବ ନାହିଁ । ତେଣୁ ମହାମାରୀ ସମୟରେ ବାହାରକୁ ଯାଉଥିଲେ କରୋନା ଗାଇଡଲାଇନକୁ କଡାକଡି ପାଳନ କରନ୍ତୁ ବୋଲି କହିଛନ୍ତି ସୁରେଶ ।