ଶ୍ୱାସରେ କଷ୍ଟ ଭୋଗୁୁଥିବା ସବୁ ରୋଗୀଙ୍କ ତଥ୍ୟ ଦିଅ… ସରକାରୀ ଓ ବେସରକାରୀ ହସ୍ପିଟାଲକୁ ସରକାରଙ୍କ କଡା ନିର୍ଦ୍ଦେଶ । ଖିଲାପ କଲେ ସିଲ୍ ହେବ ହସ୍ପିଟାଲ, ବାଜ୍ୟାପ୍ତ ହେବ ଲାଇସେନ୍ସ ।

665

କନକ ବ୍ୟୁରୋ: ଶ୍ୱାସରେ କଷ୍ଟ ପାଉଥିବା ରୋଗୀଙ୍କ ତଥ୍ୟ ଦେବାକୁ ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦେଲେ ସରକାର । ରାଜ୍ୟର ସବୁ ସରକାରୀ ଓ ବେସରକାରୀ ହସ୍ପିଟାଲକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ । କୌଣସି ହସ୍ପିଟାଲରେ ଯଦି କେହି ଶ୍ୱାସରେ କଷ୍ଟ ଅନୁଭକ କରୁଥିବା ରୋଗୀ ଥାଆନ୍ତି ତେବେ ତାଙ୍କ ସବିଶେଷ ତଥ୍ୟ ତୁରନ୍ତ ସରକାରଙ୍କୁ ଜଣାନ୍ତୁ । ଆଉ ନିର୍ଦ୍ଦେଶ ପରେ ଯଦି କେହି ଖିଲାପ କରେ ତେବେ ହସ୍ପିଟାଲ ସିଲ୍ ହେବ । ତା ସହ ଲାଇସେନ୍ସ ବାଜ୍ୟାପ୍ତ ହେବ ବୋଲି ସୁବ୍ରତ ବାଗଚୀ କଡା ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଆଜି ସାମ୍ବାଦିକ ସମ୍ମିଳନୀରେ କରୋନା ନେଇ ସୂଚନା ଦେଉଥିବା ବେଳେ ନିଜାମୁଦ୍ଦିନ ଫେରନ୍ତାଙ୍କ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ ସୁବ୍ରତ । ନିଜାମୁଦ୍ଦିନ ଫେରନ୍ତାଙ୍କୁ ନିବେଦନ କରି କହିଥିଲେ କି ୨୪ ଘଣ୍ଟାରେ ନିର୍ଭୟରେ ଆଗେଇ ଆସି ନିଜର ସବୁ ତଥ୍ୟ ସରକାରଙ୍କୁ ଦେବାକୁ । ଏହି ସମୟ ଲୁଚାଛପାର ସମୟ ନୁହେଁ ତେଣୁ ପୂରା ମାନବ ଜାତି ପାଇଁ ଏହି ସମୟ ଆଶଙ୍କାର ସମୟ ହୋଇଥିବାରୁ ଆପଣମାନେ ଆଗେଇ ଆସି ନିଜ ବାବଦରେ ଜଣାନ୍ତୁ ବୋଲି ବାଗଚୀ କହିଛନ୍ତି ।

ସେପଟେ ତବଲିଗି ଜମାତରୁ ଫେରିଥିବା ୨୮ଜଣଙ୍କୁ ରାଜ୍ୟ ସରକାର ଯୋଗାଯୋଗ କରିଛନ୍ତି । ଏମାନଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିରୁ ୨୫ଟି ନମୂନା ନେଗେଟିଭ ଆସିଥିବା ବେଳେ ୩ ଜଣଙ୍କ ପଜିଟିଭ ଆସିଛି । ଏହି ୩ଜଣଙ୍କ ମଧ୍ୟରୁ ଜଣେ ଯାଜପୁୁର ଅଂଚଳର, ଜଣେ କଟକ ଅଚଂଳର ଏବଂ ଜଣେ ପୁରୀର ବୋଲି ଜଣାପଡିଛି । ତବଲିଗି ଜମାତରୁ ଫେରିଥିବା ଲୋକେ ତୁରନ୍ତ ୧୦୪କୁ ଯୋଗେଯାଗ କରି ରାଜ୍ୟ ସରକାରଙ୍କୁ ସୂଚନା ଦିଅନ୍ତୁ । ଦରକାର ପଡିଲେ ସରକାର ଆପଣଙ୍କ ସମସ୍ତ ଚିକିତ୍ସା ବିନା ଖର୍ଚ୍ଚରେ କରିବେ ବୋଲି ସୁବ୍ରତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।