ଏଥର ବି କେହି ହେବେନି ଫେଲ୍ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତେ ପାସ୍ । ଏପ୍ରିଲରେ ବି ଆରମ୍ଭ ହେବନି ନୂତନ ଶିକ୍ଷା ବର୍ଷ

ପ୍ରଚଣ୍ଡ ଖରା ଓ କରୋନା ଯୋଗୁ ଜୁନରେ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇପାରେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା

2,458

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତେ ପାସ୍ । କରୋନା ମହାମାରୀ ପାଇଁ ଚଳିତ ବର୍ଷ କୌଣସି କ୍ଲାସ୍ ହୋଇ ନଥିବାରୁ ନିଆଯାଇଛି ଏଭଳି ନିଷ୍ପତ୍ତି । ଏପରିକି ଏପ୍ରିଲରେ ବି ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବ ନାହିଁ । ତେବେ ପ୍ରଚଣ୍ଡ ଖରା ଏବଂ କରୋନାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜୁନ୍ ମାସରେ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇପାରେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି ।

ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀଙ୍କର କୌଣସି ବାର୍ଷିକ ପରୀକ୍ଷା କରାନଯାଇ କ୍ଲାସ୍ ପ୍ରମୋସନ୍ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି। ଏହି ପିଲାଙ୍କର ଆଉ କ୍ଲାସ୍ ହେବ ନାହିଁ।  ସେ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ଆଉ ସ୍କୁଲ ଖୋଲିବା ସମ୍ଭବ ନୁହେଁ। ଏଣୁ ଗତବର୍ଷ ଭଳି ଏ ବର୍ଷ ବି ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଯାଏଁ ସବୁ ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ତେବେ ଏନେଇ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ ନ ଥିଲେ ବି ଆପାତତଃ ତାହା ସ୍ଥିର ହୋଇଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ।

ଅନ୍ୟପଟେ ଏପ୍ରିଲରେ ଆରମ୍ଭ ହେବାକୁ ଥିବା ନୂତନ ଶିକ୍ଷା ବର୍ଷ ଜୁନ୍ ମାସରେ ଆରମ୍ଭ ହୋଇପାରେ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ତେବେ ଖରା ଏବଂ କରୋନା ମହାମାରୀକୁ ନଜରରେ ରଖି ଏପ୍ରିଲ ପରିବର୍ତ୍ତେ ଜୁନ୍ ମାସରେ ଏହାକୁ ଆରମ୍ଭ କରିବାକୁ ବିଚାର ବିମର୍ଷ ହେଉଛି ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି ।