ପୁଣିଥରେ ଗାଇଡଲାଇନ୍ ଜାରି କଲା ଗଣଶିକ୍ଷା ବିଭାଗ । କ୍ୟାମ୍ପସ ନିକଟରୁ ନିଶା ଦୋକାନ ହଟାଇବାକୁ ନିର୍ଦ୍ଦେଶ

44

କନକ ବ୍ୟୁରୋ: ଯଦି କୌଣସି ଶିକ୍ଷକ କିମ୍ବା କର୍ମଚାରୀ ମଦ୍ୟପାନ/ନିଶା ସେବନ କରି ବିଦ୍ୟାଳୟ ଆସନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ବିଦ୍ୟାଳୟର ପ୍ରଧାନଶିକ୍ଷକ ସମ୍ପୃକ୍ତ ଶିକ୍ଷକ/କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

୨୦୧୭ରେ ଶତାଧିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ନେଇ ଅଭିଯୋଗ ଆସିବା ପରେ ସୁରକ୍ଷା ନେଇ ଏବେ ପୁଣିଥରେ ଚେଇଁ ଉଠିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପୁଣିଥରେ ସୁରକ୍ଷା ନେଇ ଗାଇଡଲାଇନ୍ ଜାରି କରାଯାଇଛି । କୌଣସି ସ୍ଥାନରେ ଯଦି ଛାତ୍ରଛାତ୍ରୀଙ୍କ ଅଧିକାର ଓ ସୁରକ୍ଷା ବାଧାପ୍ରାପ୍ତ ହେଉଥିବା ନେଇ ଦୃଷ୍ଟିକୁ ଆସେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । କ୍ଲାସରୁମଠାରୁ କ୍ୟାମ୍ପସ, ମଧ୍ୟାହ୍ନଭୋଜନ, ବିଲଡିଂ ପରି ବିଷୟ ପ୍ରତି ଦୃଷ୍ଟି ଦେବାକୁ ନିର୍ଦେଶ ଦିଆଯାଇଛି ।

ସରକାରୀ ଓ ବେସରକାରୀ ବିଦ୍ୟାଳୟ ସବୁଠି ପାଚେରି ରହିବା ବାଧ୍ୟତାମୂଳକ । କ୍ଲାସ ଚାଲିଥିବା ସମୟରେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇବା, କ୍ୟାମ୍ପସ ନିକଟରୁ ତମାଖୁ ଦୋକାନ ହଟାଇବା ଲାଗି ପୁଲିସ ସହାୟତାରେ ଚଢ଼ଉ, ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ସ୍କୁଲ ନିକଟରେ ଟ୍ରାଫିକ୍ ନିୟୋଜନ, ସୁରକ୍ଷା ନେଇ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା, ସ୍କୁଲ ବସକୁ ସ୍ୱତନ୍ତ୍ର ରଙ୍ଗ କରିବା ଏବଂ ସ୍ଥାନୀୟ ପୁଲିସ ଦ୍ୱାରା ବସଗୁଡ଼ିକର ଡ୍ରାଇଭର ଓ କଣ୍ଡକ୍ଟରଙ୍କ ସମ୍ପୂର୍ଣ୍ଣ ତଥ୍ୟ ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି । କ୍ୟାମ୍ପସରେ ଥିବା ବିଲ୍ଡିଂଗୁଡ଼ିକରେ ସବୁ ବର୍ଗର ଛାତ୍ରଛାତ୍ରୀଙ୍କ ଉପଯୋଗୀ ବ୍ୟବସ୍ଥା ରହିବା ଆବଶ୍ୟକ । ପାନୀୟ ଜଳ, ଶୌଚାଳୟ, ବର୍ଜ୍ୟବସ୍ତୁ ପକାଇବା ସ୍ଥାନ, ରୋଷେଇ ଘରକୁ ସଫାସୁତୁରା ରଖିବା, ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ, ଭୂମିକମ୍ପ ପରି ପ୍ରାକୃତିକ ବିପର୍ୟ୍ୟୟରୁ ରକ୍ଷା ପାଇବା ଲାଗି ବିଲ୍ଡିଂରେ ବ୍ୟବସ୍ଥା କରିବାକୁ କୁହାଯାଇଛି । ଜୁରୁରୀକାଳୀନ ଫାଟକ, ଅଗ୍ନିକାଣ୍ଡର ମୁକାବିଲା ଲାଗି ଆବଶ୍ୟକ ପାଣି, ବାଲି ମହଜୁଦ୍ ରଖିବା, ପ୍ରତି ବିଦ୍ୟାଳୟର ବିଲଡିଂ ସୁରକ୍ଷା ଅଡିଟ୍ କରିବା ବାଧ୍ୟତାମୂଳକ । ବିପଦସଙ୍କୁଳ ଅବସ୍ଥାରେ ଥିବା କୋଠାଗୁଡ଼ିକୁ ଭାଙ୍ଗିବାକୁ କୁହାଯାଇଛି ।

କ୍ୟାମ୍ପସରେ ଯେପରି ବିଦ୍ୟୁତ ତାର ଓହଳି ନ ରହିବ, ଖେଳ ପଡ଼ିଆକୁ ସମାନ୍ତରାଳ କରିବା, ଖୋଲା କୂଅ ଓ ବାମ୍ଫି ନ ରଖିବା, କ୍ଲାସରୁମ୍କୁ ନିୟମିତ ସଫା, କାନ୍ଥକୁ ଲାଗି ବ୍ଲାକବୋର୍ଡ ରଖିବା, କ୍ଲାସରୁମକୁ ପବନ ଚଳପ୍ରଚଳ କରୁଥିବା ଭଳି ବ୍ୟବସ୍ଥା ହେବା ଦରକାର । ପ୍ରତି ବିଦ୍ୟାଳୟରେ ଜଣେ ମହିଳା ଶିକ୍ଷକ ବାଧ୍ୟତାମୂଳକ ହୋଇଥିବାବେଳେ ପିଲାଙ୍କୁ କୌଣସି ପ୍ରକାର ଦଣ୍ଡ ଦିଆଯିବ ନାହିଁ । ଏସମ୍ପର୍କରେ ସଚେତନତା ଲାଗି ଶିକ୍ଷକଙ୍କୁ ତାଲିମ ଦିଆଯିବ । ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ନିୟମିତ ଭାବେ କ୍ୟାମ୍ପସକୁ ଗସ୍ତ କରି ପିଲାଙ୍କ ସାଙ୍ଗରେ ଆଲୋଚନା କରିବେ । ହେଲପ୍ ଡେକ୍ସ ଖୋଲିବା, ଟୋଲ ଫି’ ନମ୍ବର, କିଶୋର ମଞ୍ଚ, ବାଲ ସଭା ପରି କା କାର୍ଯ୍ୟକ୍ରମ ହେବା ଆବଶ୍ୟକ ।

ଯଦି କୌଣସି ସ୍ଥାନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାରେ ଅବହେଳା ହେଉଥିବା ତେବେ ଭାରତୀୟ ପିଙ୍ଗଳ କୋଡ଼(ଆଇପିସି)ର ବିଭିନ୍ନ ଧାରା, ଅନୁସୂଚିତ ଜାତି ଓ ଜାନଜାତି ଆଇନ, ସିଭିଲ୍ ରାଇଟ୍ସ୍ ଆକ୍ଟ, ଶିଶୁଙ୍କ ଯୌନ ଶୋଷଣ ଆଇନ ୨୦୧୨, ଶିକ୍ଷା ଅଧିକାର ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୩ ଡିସେମ୍ବର ୨୭ରେ ମାଧ୍ୟମିକ ଶିକ୍ଷା, ପ୍ରାଥମିକ ଶିକ୍ଷା, ଉଚ୍ଚ ମାଧ୍ୟମିକ ଶିକ୍ଷା, ଟିଇ ଓ ଏସସିଇଆରଟି, ରାମସା ଏବଂ ଓପେକା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଥିଲା । ଏବେ ନିୟମକୁ କଡ଼ାକଡ଼ି ଲାଗୁ କରିବା ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି ।