କରୋନା ମୁକାବିଲାରେ ଓଡ଼ିଶା ନମ୍ବର-୧ । ମହାମାରୀ ମୁକାବିଲାର ମହାନାୟକ ସାଜିଛନ୍ତି ନବୀନ, ପୂରା ଦେଶ କରୁଛି ପ୍ରଂଶସା ।

289

କନକ ବ୍ୟୁରୋ : ମହାମାରୀ କରୋନାର ପ୍ରକୋପ ଏଯାବତ କମିନାହିଁ । କରୋନାର ପ୍ରଥମ ଲହର ପାର କରି ଆମେ ତୃତୀୟ ଲହର ଅତିକ୍ରମ କରିବାକୁ ବସିଲେଣି । ଦେଶରେ ଦ୍ୱିତୀୟ ଲହରରେ କରୋନା ଯେଉଁଭଳି ତାଣ୍ଡବଲୀଳା ରଚିଥିଲା ତାହାକୁ କେହି କେବେ ହୁଏତ ଭୁଲିପାରିବେ ନାହିଁ । କିନ୍ତୁ ଏହି ସମୟ ଭିତରେ ମହାମାରୀ କରୋନାର ମୁକାବିଲା କରିବା ଅନେକ ରାଜ୍ୟ ପାଇଁ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଥିଲା । ତେବେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସାଜିଥିଲା । ଯେଉଁଥିପାଇଁ ଅନେକ ସମୟରେ ଓଡ଼ିଶାକୁ ଦେଶ ଓ ବିଦେଶରୁ ପ୍ରଂଶସା ମିଳିଛି । ଆଉ ଏବେ ଜାତୀୟ ଗଣମାଧ୍ୟମରେ ମଧ୍ୟ ଓଡ଼ିଶାର କରୋନା ମୁକାବିଲା ଫର୍ମୁର୍ଲା ଅଧିକ ଲୋକ ପସନ୍ଦ କରିଛନ୍ତି । ଆଉ ଏହି ମହାମାରୀ ମୁକାବିଲା ପଛର ମହାନାୟକ ସାଜି ଉଭା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମହାମାରୀ କରୋନା ମୁକାବିଲାରେ ଓଡ଼ିଶା ଦେଶରେ ନମ୍ବର-୧ । ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ଦ ନେସନ ସର୍ଭେରେ ଓଡ଼ିଶାର କରୋନା ମୁକାବିଲା ଫର୍ମୁଲାକୁ ଅଧିକ ଲୋକ ପସନ୍ଦ କରିଛନ୍ତି । ସର୍ଭେରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ୭୬.୭ ପ୍ରତିଶତ ଲୋକ ଓଡ଼ିଶାର ମହାମାରୀ ମୁକାବିଲା ମଡେଲକୁ ଅତି ଉଚ୍ଚକୋଟୀର ବୋଲି କହିଛନ୍ତି । ସେହିଭଳି ମାତ୍ର ୧୪.୧ ପ୍ରତିଶତ ଲୋକଙ୍କୁ ନବୀନଙ୍କ ମହାମାରୀ ମୁକାବିଲା ହାରାହାରି ସନ୍ତୁଷ୍ଟ କରିପାରିଛି । କରୋନା ପ୍ରଥମ ଲହରରୁ ତୃତୀୟ ଲହର ମଧ୍ୟରେ ମହାମାରୀ ପାଇଁ ନବୀନ ନେଇଥିବା ପଦକ୍ଷେପକୁ ଅନେକବାର ପୂରା ଦେଶ ପ୍ରଂଶସା କରିଛି, ଜାତିସଂଘ ବାହାବା ଦେଇଛି । ଯେଉଁଥିପାଇଁ କରୋନା ମୁକାବିଲାରେ ମହାରଥ ହାସଲ କରିଥିବା ପ୍ରଥମ ପାଞ୍ଚଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଶୀର୍ଷରେ ରହିଛି । ଆଉ ଏହା ସମ୍ଭବ ହୋଇଛି ନବୀନଙ୍କ ଦୂରଦୃଷ୍ଟି ନିଷ୍ପତ୍ତି ପାଇଁ ।

କରୋନାର ପ୍ରଥମ ଲହରରୁ ହିଁ ନବୀନ ମହାମାରୀର ଭୟାବହତାକୁ ବେଶ ଭଲଭାବରେ ପରଖି ସାରିଥିଲେ । ବିଦେଶରେ କରୋନା ନିଜର ଉଗ୍ର ଦେଖାଇ ଯେତେବେଳେ ଭାରତରେ ପ୍ରବେଶ କଲା ସେତେବେଳକୁ ଓଡ଼ିଶାବାସୀଙ୍କୁ ସଂକ୍ରମଣରୁ ରୋକିବା ପାଇଁ ସୁରକ୍ଷାର ପ୍ରାଚୀର ଛିଡା କରି ସାରିଥିଲେ ନବୀନ । ମହାମାରୀ ବିରୋଧରେ ମହାଯୁଦ୍ଧର ଆହ୍ୱାନ ଦେଇ ରାତିଅଧିଆ ଅତ୍ୟାଧୁନିକ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିର ମୂଳଦୁଆ ପକାଇଥିଲେ ନବୀନ । ଆଉ ଲୋକଙ୍କ କରୋନା ଚିକିତ୍ସାକୁ ସମ୍ପୂର୍ଣ୍ଣ ମାଗଣା କରି ଲୋକଙ୍କ ବିପଦର ବନ୍ଧୁ ସାଜିଥିଲେ ନବୀନ । ବିଦେଶରୁ ଆସୁଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରି କରୋନା ମୁକାବିଲାକୁ ଆହୁରି ସହଜ କରିଥିଲେ ସରକାର । କରୋନା ସହ ଯୁଦ୍ଧ ପୂର୍ବରୁ ରାଜ୍ୟବାସୀଙ୍କୁ ଭୂତାଣୁ ଠାରୁ ସୁରକ୍ଷିତ ରଖିବାକୁ ନବୀନ ଟାଣି ସାରିଥିଲେ କଟକଣାର ଲକ୍ଷ୍ମଣରେଖା । ଦେଶର ପ୍ରଥମ ରାଜ୍ୟ ଭାବେ ଲକଡାଉନ ଘୋଷଣା କରି କରୋନା ଲଢେଇରେ ଦୁଇ ପାଦ ଆଗରେ ରହିଥିଲେ ନବୀନ ।

ପ୍ରଥମ ଲହରକୁ ପାର କରିବା ପରେ ଦ୍ୱିତୀୟ ଲହର ନବୀନ ସରକାର ପାଇଁ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଥିଲା । ଦ୍ୱିତୀୟ ଲହରରେ କରୋନା ଦେଖାଇଥିଲା ତାହାର କରାଳ ରୂପ । ଦେଶରେ ଅକ୍ସିଜେନ ପାଇଁ ତ୍ରାହି ତ୍ରାହି ପଡୁଥିଲା । ଆଖି ଆଗରେ ନିଶ୍ୱାସ ବିନା ଚାଲି ଯାଉଥିଲା ଶହ ଶହ ଜୀବନ । କିନ୍ତୁ ଓଡ଼ିଶାପାଇଁ ନବୀନ ଯେଉଁ ସୁରକ୍ଷାବଳୟ ତିଆରି କରିଥିଲେ ତାହା ରାଜ୍ୟବାସୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ଆଣି ଦେଇଥିଲା । ଦେଶର ଅନ୍ୟ ରାଜ୍ୟରେ ଅକ୍ସିଜେନ ଅଭାବରୁ ଜୀବନ ଯାଉଥିବା ବେଳେ ନବୀନ ସାଜିଥିଲେ ପୂରା ଦେଶ ପାଇଁ ସଙ୍କଟମୋଚକ । ଦେଶର ଅଧିକାଂଶ ରାଜ୍ୟକୁ ଅକ୍ସିଜେନ ସିଲିଣ୍ଡର ପଠାଇ କେବଳ ରୋଗୀଙ୍କ ଜୀବନ ବଞ୍ଚାଇନଥିଲେ ବରଂ ଦେଶବାସୀଙ୍କ ପାଇଁ ରୋଲମଡେଲ ସାଜିଥିଲେ । ସେତେବେଳେ ନବୀନଙ୍କୁ ସଂକ୍ରମଣ ବେଳର ସଙ୍କଟମୋଚକ କହିଥିଲା ପୂରା ଭାରତ । ଆଉ ଏହା ସମ୍ଭବପର ହୋଇପାରିଥିଲା ନବୀନଙ୍କ ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ଯୋଗୁଁ । ଯାହା ଓଡ଼ିଶାକୁ ମହାମାରୀ ମୁକାବିଲାରେ ଗୋଟିଏ ପାଦ ଆଗରେ ରଖିଥିଲା । ସେହିଭଳି ଟୀକାକରଣ କ୍ଷେତ୍ରରେ ନବୀନ ଯେଉଁ ଫର୍ମୁଲା ଆପଣାଇଥିଲେ ତାହା ଦ୍ୱାରା ଖୁବ୍ କମ ସମୟ ମଧ୍ୟରେ ରାଜ୍ୟର ଅଧିକାଂଶ ଲୋକଙ୍କ ପାଖରେ ଟିକା ପହଞ୍ଚି ପାରିଲା ।

ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହରର ମୁକାବିଲା କରୁଛି ଓଡ଼ିଶା । ଆଉ ଏହାକୁ ବେଶ ବ୍ୟବସ୍ଥିତ ଢଙ୍ଗରେ ମୁକାବିଲା କରୁଛନ୍ତି ନବୀନ ସରକାର । ତୃତୀୟ ଲହରର ଏତେଟା ପ୍ରଭାବ ନଥିଲେ ମଧ୍ୟ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାକୁ କଟକଣାକୁ ପୂରା କୋହଳ କରିନାହାନ୍ତି ନବୀନ । କାରଣ ନବୀନ ପୂର୍ବରୁ ବାରମ୍ବାର କହି ଆସିଛନ୍ତି ଓଡ଼ିଶାବାସୀଙ୍କ ପ୍ରତିଟି ଜୀବନ ତାଙ୍କ ପାଇଁ ମୂଲ୍ୟବାନ । ଯେଉଁଥିପାଇଁ ଓମିକ୍ରନର ଭୟାବହତା ନଥିଲେ ମଧ୍ୟ ଆଗୁଆ ହସ୍ପିଟାଲକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଓମିକ୍ରନ ଟେଷ୍ଟ ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ ଓମିସିଓର କିଟ୍ ଆଣି ଲୋକଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ଆଣି ଦେଇଛନ୍ତି । ଆଉ ନବୀନଙ୍କ ଏଭଳି କିଛି ନିଷ୍ପତ୍ତି ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାକୁ ମହାମାରୀ ମୁକାବିଲାରେ ଆଗରେ ରଖିଛି । ଯେଉଁଥିପାଇଁ ଅଧିକାଂଶ ଜନତା ମଧ୍ୟ ନବୀନଙ୍କ କୋଭିଡ ମୁକାବିଲା ଓ ଏହାର ଫର୍ମୁଲାକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ।