ବିଶ୍ୱ ରେକର୍ଡ କଲେ ଓଡ଼ିଶାର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ । ୧ ଘଣ୍ଟାରେ ସର୍ବାଧିକ ହାତଲେଖା ପୁସ୍ତକ ଅପଲୋଡ୍ କରି ଗିନିଜ୍ ବୁକରେ ରେକର୍ଡ ।

345

କନକ ବ୍ୟୁରୋ: ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ରଚିଲେ ନୂଆ ଇତିହାସ । ଏକ ଘଂଟାରେ ଅନଲାଇନରେ ଅପଲୋଡ୍ ହେଲା ସର୍ବାଧିକ ପୁସ୍ତକର ହାତଲେଖା ଚିଠା । ପ୍ରଥମ ବିଶ୍ୱ ଓଡି଼ଆ ଭାଷା ସମ୍ମିଳନୀ ଉଦ୍ଦେଶ୍ୟରେ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନେ ସାହିତ୍ୟ ସୃଜନୀ କ୍ଲବ ମାଧ୍ୟମରେ ‘ମୋ କଥା ମୋ କହାଣୀ’ ପୁସ୍ତକ ରଚନା କରିଥିଲେ । ଯାହାକୁ ସେମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଏକ ଘଣ୍ଟା ମଧ୍ୟରେ ଅପଲୋଡ୍ କରି ଗିନିଜ ବୁକ ଅଫ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି । ଶୁକ୍ରବାର ଦିନ ୧୨ଟାରୁ ୧ଟା ମଧ୍ୟରେ ଏହି ପୁସ୍ତକର ତଥ୍ୟକୁ ଫେସବୁକରେ ଅପଲୋଡ କରିଥିଲେ ।

ମାତ୍ର ଏକ ଘଣ୍ଟା ମଧ୍ୟରେ ଓଡି଼ଶାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରାମାନେ ସର୍ବାଧିକ ପୁସ୍ତକର ତଥ୍ୟ ଅପଲୋଡ କରିଥିଲେ । ପୂର୍ବ ରେକର୍ଡଠାରୁ ୪ଗୁଣା ଅଧିକ ସଂଖ୍ୟାରେ ଅପଲୋଡ୍ ହୋଇଥିବା ଜଣାପଡ଼ିଛି । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ରେକର୍ଡ ହୋଇଛି । ୧ ନଭେମ୍ବର, ୨୦୨୧ରେ ଅନଲାଇନରେ ପୂର୍ବରୁ ୫୪୦୮ଟି ପୁସ୍ତକର ତଥ୍ୟ ଅପଲୋଡ କରି ନମାମୀ ଗଙ୍ଗେ ଏହି ରେକର୍ଡ ସୃଷ୍ଟି କରିଥିଲା ।